ଆଗୁଆ ହୋଇଛି ରଥଟଣା

ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା ।

https://twitter.com/IPR_Odisha/status/1673981980248260608?s=20

ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଛି । ଚଳିତ ବର୍ଷ ବାହୁଡ଼ାଯାତ୍ରାର ସମସ୍ତ ନୀତିକାନ୍ତି, ନିର୍ଦ୍ଧାରିତ ସମୟ ଆଗରୁ ଚାଲିଛି। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଗଡ଼ିବାରେ ଲାଗିଛି ତାଳଧ୍ୱଜ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ବି ଗଡ଼ିଚାଲିଛି ।