ଉପନିର୍ବାଚନରେ କାହାର ପଲା ଭାରି
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ହିଞ୍ଜିଳି ଆସନ ସହ ବିଜେପୁରରେ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ଜିତିଲା ପରେ ବିଜେପୁରକୁ ଛାଡ଼ି ଦେଇଥିଲେ। ସେଠାରେ ହୋଇଥିବା ଉପନିର୍ବାଚନରେ ରୀତା ସାହୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୯୭,୯୯୦ ଖଣ୍ଡ ଭୋଟରେ ହରାଇଥିଲେ। ଏହି ବିଜୟ ବ୍ୟବଧାନ ଥିଲା ସର୍ବକାଳୀନ ରେକର୍ଡ। ୨୦୨୦ ମସିହାରେ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ଉପନିର୍ବାଚନ ହୋଇଥିଲା।
ଏଠାରେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୧ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ। ସେହି ବର୍ଷ ବାଲେଶ୍ବର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ଯୋଗୁ ସେଠାରେ ଉପନିର୍ବାଚନ ହୋଇଥିଲା। ସ୍ବର୍ଗତ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବରୂପ ଦାସ। ତେବେ ଏହି ଆସନଟିକୁ ରକ୍ଷା କରିବାରେ ବିଜେପି ସମର୍ଥ ହୋଇ ନଥିଲା। ୧୩ ହଜାରରୁ ଅଧିକ ଭୋଟ୍ରେ ବିଜେଡି ଠାରୁ ବିଜେପି ପଛରେ ପଡ଼ିଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ମାନସ ଦତ୍ତ ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।
୨୦୨୨ରେ ତିନିଟି ଉପନିର୍ବାଚନର ସାମ୍ନା କରିଥିଲା ଓଡ଼ିଶା। ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ୨୦୨୨ ଜୁନରେ ହୋଇଥିଲା ଉପନିର୍ବାଚନ। ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ସେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାର ଭୋଟ୍ରେ ପରାସ୍ତ କଲେ। ସେହି ବର୍ଷ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ନଭେମ୍ବର ମାସରେ ହୋଇଥିଲା ଉପନିର୍ବାଚନ। ସ୍ବର୍ଗତ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପାଖାପାଖି ୧୦ ହଜାର ଭୋଟ୍ରେ ହରାଇଥିଲେ। ୨୦୨୨ରେ ତୃତୀୟ ଉପନିର୍ବାଚନ ହୋଇଥିଲା ପଦ୍ମପୁରରେ। ସେଠାକାର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ଡିସେମ୍ବର ମାସରେ ଉପନିର୍ବାଚନ ହୋଇଥିଲା। ସ୍ବର୍ଗତ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ। ୨୦୨୩ରେ ଶେଷ ଉପନିର୍ବାଚନ ହୋଇଥିଲା ଝାରସୁଗୁଡ଼ାରେ। ସେଠାକାର ବିଧାୟକ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଝାରସୁଗୁଡ଼ାରେ ହୋଇଥିବା ଏହି ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବର୍ଗତ ଦାସଙ୍କ ଝିଅ ଦୀପାଳି ଦାସ। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ।