୨୨ରେ ୨ଟି ପୃଥକ୍‌ ଭାରତୀୟ କ୍ରିକେଟ୍ ଦଳ ଘୋଷଣା

cricket

ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨)

ଆସନ୍ତା ୨୨ରେ ୨ଟି ଭିନ୍ନ ଶୃଙ୍ଖଳା ନିମନ୍ତେ ୨ଟି ପୃଥକ୍‌ ଭାରତୀୟ କ୍ରିକେଟ୍‌ ଦଳ ମନୋୟନ କରିବ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ବିସିସିଆଇ ମନୋନୟନ କମିଟି। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଶେଷ ଲିଗ୍‌ ମ୍ୟାଚ୍‌ ୨୨ରେ ଖେଳାଯିବ। ସେହିଦିନ ୨ଟି ପୃଥକ୍‌ ଭାରତୀୟ କ୍ରିକେଟ୍‌ ଦଳ ଘୋଷଣା ହେବ ବୋଲି ଜଣାପଡ଼ିଛି। ପ୍ରମୁଖ ଭାରତୀୟ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଏପରି କରାଯିବ।

ଜୁନ୍‌ ୯ରୁ ୧୯ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଆୟୋଜିତ ହେବ। ଦିଲ୍ଲୀ, କଟକ, ବିଶାଖାପାଟଣା, ରାଜକୋଟ୍‌ ଓ ବେଙ୍ଗାଲୁରୁରେ ଏହି ୫ଟି ମ୍ୟାଚ୍‌ ଖେଳାଳିବ। ଏହି ଶୃଙ୍ଖଳା ନିମନ୍ତେ ଭାରତୀୟ ଟି୨୦ ଦଳ ଘୋଷଣା କରାଯିବ। ତେବେ ବିସିସିଆଇ ମଧ୍ୟସ୍ଥ ସୂତ୍ରର ସୂଚନାନୁଯାୟୀ; ଏହି ଶୃଙ୍ଖଳାରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ୍‌ ବୁମରା, ଋଷଭ ପନ୍ତ୍‌, କେଏଲ୍‌ ରାହୁଲ, ମହମ୍ମଦ ସାମି, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଜାଜେଡ଼ା, ସୂର୍ଯ୍ୟକୁମାର ଯାଦବ, ଦୀପକ ଚହର୍‌ ପ୍ରମୁଖଙ୍କୁ ସାମିଲ କରାଯିବ ନାହିଁ। ଅଢ଼େଇ ମାସ ଆଇପିଏଲ୍‌ରେ ବ୍ୟସ୍ତ ପ୍ରମୁଖ ଭାରତୀୟ କ୍ରିକେଟରଙ୍କୁ ବିଶ୍ରାମ ଦିଆଯିବ। ଟ୍ବେଣ୍ଟି୨୦ ଦଳରେ ତିଳକ ବର୍ମା, ଉମ୍ରାନ୍‌ ମାଲିକ, ଅର୍ଶଦୀପ ସିଂହ, ଋତୁରାଜ ଗାଏକ୍‌ୱାଡ୍‌, ପ୍ରସିଦ୍ଧ କ୍ରିଷ୍ଣା, ଆଭେସ୍‌ ଖାଁଙ୍କ ସହ ଶିଖର ଧାୱନ୍‌, ହାର୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ଭୁବନେଶ୍ବର କୁମାର ପ୍ରମୁଖ ସ୍ଥାନ ପାଇବାର ସମ୍ଭାବନା ରହିଛି। ଶିଖର ଧାୱନ୍‌ କିମ୍ବା ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ମିଳିପାରେ।