ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜଗତର ଏହି ମହା ପ୍ରତିଯୋଗିତା ଏକାଧିକ କାରଣ ପାଇଁ ବିବାଦ ଘେରରେ ରହିଥିବାବେଳେ ସଫଳ ଆୟୋଜନର ସ୍ମରଣୀୟ ସ୍ମୃତି ଛାଡ଼ିଛି। ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ ଭାରତ ୬ ପଦକ ସହ ଅଭିଯାନ ଶେଷ କରିଛି। ଏଥର ଯଦିଓ ସ୍ବର୍ଣ୍ଣ ପଦକ ବିଜୟ ସମ୍ଭବ ହୋଇ ନ ଥିଲା ତେବେ ଭାରତୀୟ ଆଥ୍ଲେଟମାନେ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଛନ୍ତି। ଆଥ୍ଲେଟିକ୍ସର ଜାଭେଲିନ୍ ଥ୍ରୋରୁ ରୌପ୍ୟ ପଦକଟି ଆସିଥିବାବେଳେ ଶୁଟିଂରୁ ୩ଟି ଏବଂ ପୁରୁଷ ହକି ଓ ରେସଲିଂରୁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ମିଳିଛି।ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଥିଲେ ତାରକା ମହିଳା ଶୁଟର ମନୁ ଭାକର। ସେ ଜୁଲାଇ ୨୮ରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସି ଭରିଥିଲେ। ଗୋଟିଏ ପଦକରେ ସନ୍ତୁଷ୍ଟ ହୋଇ ନ ଥିଲେ ଭାକର। ଜୁଲାଇ ୩୦ରେ ଅନୁଷ୍ଠିତ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସରବଜୋତ ସିଂଙ୍କ ସହ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଗଷ୍ଟ ୧ରେ ଶୁଟିଂ ଇଭେଣ୍ଟରୁ ଭାରତକୁ ମିଳିଥିଲା ୩ୟ ବ୍ରୋଞ୍ଜ ପଦକ। ଏଥର ସଫଳତା ତାଲିକାରେ ସାମିଲ ହୋଇଥିଲେ ସ୍ବପ୍ନିଲ କୁସାଲ। ସେ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ-ପୋଜିଶନ୍ସ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଗଷ୍ଟ ୮ରେ ଭାରତକୁ ଡବଲ ପଦକ ମିଳିଥିଲା। ପୁରୁଷ ହକି ଦଳ ସ୍ପେନ୍କୁ ୨-୧ ଗୋଲରେ ହରାଇ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବଜାୟ ରଖିଥିବାବେଳେ ଗୋଲ୍ଡେନ ବୟ ନୀରଜ କୁମାର ଏଥର ପୁରୁଷ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥିସହ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଏକାଧିକ ପଦକ ଜିତିବାରେ ସେ ଭାରତର ସବୁଠାରୁ ସଫଳ ପ୍ରତିଯୋଗୀ ହୋଇ ଯାଇଥିଲେ। ଅଗଷ୍ଟ ୯ରେ ରେସଲିଂରୁ ମିଳିଥିଲା ଭାରତକୁ ୬ଷ୍ଠ ତଥା ଅନ୍ତିମ ପଦକ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ ରେସଲିଂରେ ଅମନ ସେରାଓ୍ବତ ଏହି ସଫଳତା ପାଇଥିଲେ।ଅଲିମ୍ପିକ୍ସରେ ଭାରତୀୟଙ୍କ ସଫଳତାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭିନେସ ଫୋଗଟଙ୍କ ଘଟଣା କ୍ରୀଡ଼ାପ୍ରେମୀଙ୍କ ମନରେ ଦୁଃଖ ଭରିଥିଲା। ମହିଳା ଫ୍ରିଷ୍ଟାଇଲ ୫୦ କେଜି ଇଭେଣ୍ଟରେ ଭିନେସ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ଏବଂ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚ୍ଙ୍କୁ ୭-୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ପର୍ଯ୍ୟାୟରେ ସେ କ୍ୟୁବାର ୟୁସ୍ନେଲିସ ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ। ତେବେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ହୋଇଥିବା ଓଜନ ମାପରେ ସେ ୧୦୦ ଗ୍ରାମ୍ ଅଧିକ ରହିଥିବା ଜଣା ପଡ଼ିଥିଲା। ଫଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ସେ ଫାଇନାଲ ଲଢ଼ିବାରୁ ବଞ୍ଚତ୍ତ ହୋଇଥିଲେ। ସେ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଉ ବୋଲି ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର ସ୍ପୋଟର୍ସ (କାସ୍)ର ଦ୍ୱାରସ୍ଥ ହୋଇଛନ୍ତି। କାସ୍ର ଆଡ୍ହକ ଡିଭିଜନ ମାମଲାର ଶୁଣାଣିକୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଭାରତର ଏହି ସାହସୀ ରେସଲର ପଦକ ପାଇବେ କି ନାହିଁ ତାହା କାସ୍ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ। ଭିନେଶ ଫୋଗଟ ବନାମ ୟୁନାଇଟେଡ୍ ଓ୍ବାଲର୍ଡ ରେସ୍ଲିଂ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମାମଲା ଉପରେ ନିଷ୍ପତ୍ତି ନେବେ କାସ୍ର ଏକକ ଆର୍ବିଟ୍ରେଟର ବିଚାରପତି ଡକ୍ଟର ଆନାବେଲ ବେନେଟ। ଏହି ମାମଲାରେ ହାଇପ୍ରୋଫାଇଲ ସିନିୟର ଆଡ୍ଭୋକେଟ ହରିଶ ସାଲ୍ଭେ ଓ ବିଦୁସ୍ପାତ ସିଂଘାଣିଆ ଭିନେଶଙ୍କ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।ଭାରତ ପ୍ୟାରିସ୍ରୁ ୬ ପଦକ ପାଇଥିବାବେଳେ ଅନ୍ୟ କେତେକ ଇଭେଣ୍ଟରେ ଅଳ୍ପକେ ବଞ୍ଚତ୍ତ ହୋଇଛି। ପଦକର ନିକଟତର ହୋଇ ଅଧଡଜନେରୁ ଊର୍ଦ୍ଧ୍ୱ ଭାରତୀୟ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅର୍ଜୁନ ବବୁତା, ମିକ୍ସଡ ଟିମ୍ ଆର୍ଚେରୀ ଇଭେଣ୍ଟରେ ଧୀରଜ ବୋମ୍ମାଦେଭରା ଓ ଅଙ୍କିତା ଭକତ, ମହିଳା ୨୫ ମିଟର ପିସ୍ତଲରେ ମନୁ ଭାକର, ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନରେ ଲକ୍ଷ୍ୟ ସେନ୍, ଶୁଟିଂର ମିକ୍ସଡ ଟିମ୍ ସ୍କେଟ୍ ଇଭେଣ୍ଟରେ ଅନନ୍ତଜିତ ସିଂ ଓ ମାହେଶ୍ୱରୀ ଚୌହାନ ଏବଂ ୪୯ କେଜି ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ