ରୋମାଞ୍ଚକର ହେବ ଫାଇନାଲ ମ୍ୟାଚ୍
ଅହମ୍ମଦାବାଦ: ଆଜି ବିଶ୍ବକପ୍ ଫାଇନାଲ ମ୍ୟାଚ । ଏଥର ବିଶ୍ୱକପ ଫାଇନାଲରେ ସାମ୍ନାସାମ୍ନି ହେବେ ଭାରତ ଏବଂ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଅର୍ଥାତ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଶେଷ ମ୍ୟାଚକୁ ରୋମାଞ୍ଚଭରା କରିବାକୁ ଭାରତୀୟ ବାୟୁସେନାର ଏୟାର ସୋ’ ଏବଂ ଅତ୍ୟାଧୁନିକ ଲେଜର ଲାଇଟ୍ ସୋ ସରିଛି ସବୁ ପ୍ରକାର ପ୍ରସ୍ତୁତି ।ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଗୁରୁତ୍ବପୂର୍ଣ୍ଣ ରହିବ । ବ୍ୟାଟିଂରେ ରୋହିତ ଏବଂ ବିରାଟ ଶତକ ଛିଡ଼ା କରିପାରନ୍ତି । ସେହିପରି ବୋଲିଂରେ ପ୍ରଥମ ୧୦ ଓଭରରେ କଙ୍ଗାରୁ ଟିମକୁ ଝଟକା ଦେଲେ ବିଶ୍ବକପ ଉପରେ କବଜା ନିଶ୍ଚିତ । ଆଜିର ମହାମୁକାବିଲା ଲାଗି ଭାରତ ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ । ସମସ୍ତ ୧୪୦ କୋଟି ଭାରତୀୟ ଆଶା ରୋହିତ ବାହିନୀ ଉପରେ ରହିଛି । ଅହମ୍ମଦାବାଦରେ ଏହି ମହାମୁକାବିଲାର ସାକ୍ଷୀ ରହିବେ ୧ ଲକ୍ଷ ୪୦ ହଜାରରୁ ଅଧିକ ଦର୍ଶକ । ଅପରାହ୍ନ ୨ଟାରେ ଆରମ୍ଭ ହେବ ମ୍ୟାଚ ।ବିଶ୍ବକପ୍ ସାରା ଭାରତୀୟ ଅଧିନାୟକ ରୋହିତ ଶର୍ମା ପାୱାରପ୍ଲେ ଭିତରେ ଦ୍ରୁତ ବୋଲରଙ୍କୁ ପ୍ରହାର କରୁଥିବାରୁ ସବୁବେଳେ ଆଲୋଚନାରେ ରହିଆସିଛନ୍ତି। ବୋଲରଙ୍କ ପ୍ରତି ତାଙ୍କର ହାଇ-ରିସ୍କ ଆଭିମୁଖ୍ୟ ଅନ୍ୟ ବ୍ୟାଟର୍ଙ୍କ କାମ ହାଲୁକା କରିଦେଉଛି। ଯେଉଁଥିପାଇଁ ବିରାଟ କୋହଲି, ଶୁବମନ ଗିଲ, ଶ୍ରେୟସ ଆୟର, କେଏଲ୍ ରାହୁଲଙ୍କ ପାଇଁ ପାଳିକୁ ଆଗେଇ ନେବା ସହଜ ହୋଇଯାଉଛି। ତେବେ ଚେନ୍ନାଇରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଲିଗ୍ ପର୍ଯ୍ୟାୟ ମୁକାବିଲାରେ ରୋହିତଙ୍କୁ ହାଜେଲଉଡ୍ ତାଙ୍କ ସିମ୍ ମୁଭମେଣ୍ଟ୍ରେ ଚକ୍ମା ଦେଇଥିଲେ। ଯଶପ୍ରୀତ୍ ବୁମ୍ରା ଫେରିବା ପରେ ଭାରତୀୟ ବୋଲିଂ ଆଉ ପଛକୁ ଫେରି ଚାହିଁନି। ଚଳିତ ବିଶ୍ବକପ୍ରେ ୧୦ ମ୍ୟାଚ୍ ଖେଳି ୩.୯୮ ଇକୋନୋମି ରେଟ୍ରେ ୧୮ ୱିକେଟ୍ ଅକ୍ତିଆର କରିଛନ୍ତି ସେ। ହେଲେ ଗତ ୧୪ ଦିନିକିଆରେ ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରିବାକୁ ସକ୍ଷମ ହୋଇନାହାନ୍ତି। ବୁମ୍ରାଙ୍କ ବିପକ୍ଷରେ ୧୩୦ ବଲ୍ ଖେଳି ୧୧୭ ରନ୍ ଅମଳ କରିଛନ୍ତି ସେ। ହେଲେ ବିଗତ କିଛିଦିନରେ ବୁମ୍ରା ନିଜ ତୁଣୀରରେ ଶକ୍ତିଶାଳୀ ଆଉଟ୍ ସୁଇଂ ବଲ୍କୁ ସାମିଲ କରିସାରିଛନ୍ତି। ଏଣୁ ଅଷ୍ଟ୍ରେଲିଆର ଅଗ୍ରଣୀ ସ୍କୋରର୍ (ଚଳିତ ବିଶ୍ବକପ୍, ୫୨୮ ରନ୍) ୱାର୍ଣ୍ଣରଙ୍କ ଲୟ ବିଗାଡ଼ିବାକୁ ହେଲେ ବୁମ୍ରାଙ୍କୁ ନିଜର ଏହି ଅମୋଘ ଅସ୍ତ୍ରକୁ ସଫଳତାର ସହ ଉପଯୋଗ କରିବାକୁ ହେବ। ଚଳିତ ବିଶ୍ବକପ୍ରେ ଭାରତର ପ୍ରମୁଖ ବୋଲିଂ ଅସ୍ତ୍ର ଭାବେ ଉଭା ହୋଇଥିବା ମହମ୍ମଦ ସାମିଙ୍କୁ ସମ୍ମୁଖୀନ ହେବା ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କ ପାଇଁ ଆଦୌ ସହଜ ହେବନି। ରାଉଣ୍ଡ୍ ଦି ୱିକେଟ୍ରେ ଅତି କୌଶଳପୂର୍ଣ୍ଣ ବୋଲିଂ କରି ବାମହାତୀ ବ୍ୟାଟର୍ଙ୍କୁ ସେ ନିୟମିତ ଭାବେ ଅଡ଼ୁଆରେ ପକାଇ ଆସୁଛନ୍ତି। ସେଥିମଧ୍ୟରେ ରହିଛନ୍ତି ଇଂଲଣ୍ଡର ତାରକା ଖେଳାଳି ବେନ୍ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡର ଡେଭନ୍ କନୱେ, ରାଚିନ ରବୀନ୍ଦ୍ର ପ୍ରମୁଖ। ୩୩ ବର୍ଷୀୟ ସାମିଙ୍କୁ ପ୍ରଥମ ପରିବର୍ତ୍ତନରେ ବ୍ୟବହାର କରି ଅଧିନାୟକ ରୋହିତ ତାଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଅମଳ କରିଛନ୍ତି। ତେବେ ଅଷ୍ଟ୍ରେଲିଆ ଦଳରେ ଡେଭିଡ ୱାର୍ଣ୍ଣର ଓ ଟ୍ରାଭିସ ହେଡ୍ଙ୍କ ଭଳି ବାମହାତୀ ଖେଳାଳି ଥିବାରୁ ରୋହିତ ରବିବାର ତାଙ୍କୁ ନୂଆ ବଲ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି।