ରୋଚକ ମୋଡ଼ରେ ଭାରତ

ତୃତୀୟ ଦିନରେ ବଡ଼ ଧରଣର ଓଲଟପାଲଟ କରି ରାଞ୍ଚି ଟେଷ୍ଟ୍‌କୁ ନିୟନ୍ତ୍ରଣକୁ ନେଇଛି ଭାରତ। ଯୁବ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କ ଧମାକାଦାର ଅର୍ଦ୍ଧଶତକ ପରେ ଆର୍‌ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ଶାଣିତ ସ୍ପିନ୍‌ରେ ବଳିୟାନ ‌ହୋଇ ମ୍ୟାଚ୍ ଓ ଶୃଙ୍ଖଳାକୁ ନିଜ ନାଁରେ କରିବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ରୋଚକ ମୋଡ଼ରେ ଥିବା ଏହି ଟେଷ୍ଟ୍‌ରେ ଏବେ ଭାରତ ପାଇଁ ଗୋଟିଏ ଦିନରେ ଏଭଳି ଦୁଇଟି ସଫଳତା ଲାଭ କରିବାର ଆଶା ବଢ଼ିଛି।
ଚତୁର୍ଥ ଦିନରେ ହିଁ ଫଳାଫଳ ମିଳିବା ନିଶ୍ଚିତ ହୋଇଥିବା ଏହି ଲଢ଼େଇର ପ୍ରଥମ ଦୁଇ ଦିନରେ ଇଂଲଣ୍ଡ ଏକପ୍ରକାର ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ଭାରତୀୟ ସ୍ପିନର୍‌ଙ୍କ ଜାଲରେ ଫଶି ନାଟକୀୟ ଭାବେ ତୃତୀୟ ଦିନରେ ମାତ୍ର ୧୪୫ ରନ୍‌ରେ ଅଲଆଉଟ୍ ହୋଇଯାଇଛି। ଫଳରେ ରାଞ୍ଚି ବିଜୟ ଲାଗି ଭାରତକୁ ମାତ୍ର ୧୯୨ ରନ୍‌ର ଲକ୍ଷ୍ୟ ମିଳିଛି। ଜବାବରେ ରବିବାର ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ରୋହିତ ବାହିନୀ ବିନା କ୍ଷତିରେ ୪୦ ରନ୍‌ କରି ନେଇଛି। ଫଳରେ ବିଜୟ ଲକ୍ଷ୍ୟଠାରୁ ଆଉ ୧୫୨ ରନ୍ ପଛରେ ରହିଛି।