ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ
ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨ ଟି ନୁହେଁ ବରଂ ୩ ଟି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏଥିରେ ଦୁଇଟି ପଦକ ବ୍ୟକ୍ତିଗତ ବର୍ଗରେ ଓ ଗୋଟିଏ ଟିମ୍ ଇଭେଣ୍ଟରୁ ଆସିପାରେ । ବ୍ୟକ୍ତିଗତ ୨ ଟି ମେଡାଲ ସୁଟିଂରୁ ଆସିବାର ସମ୍ଭାବନା ବେଶ୍ ଅଧିକ ।ସେପଟେ ତୀରନ୍ଦାଜରେ ଗୋଟିଏ ପଦକ ଆସିପାରେ ।ସୁଟିଂରେ ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ମେଡାଲ ଟେଲିରେ ଅଭିବୃଦ୍ଧି କରି ପାରନ୍ତି । ୧୦ ମିଟର ଏୟାର ପିଷ୍ଟଲରେ ରମିତା ନିଜର କ୍ୱାଲିଫାଇଂ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହିଥିଲେ । ସେହିଭଳି ପୁରୁଷ ୧୦ ମିଟର ଏୟାର ପିଷ୍ଟଲ କ୍ୱାଲିଫାଇଂରେ ଅର୍ଜୁନ ବବୁତା ଅଷ୍ଟମ ସ୍ଥାନରେ ରହି ଫାଇନାଲ ଖେଳିବେ । ରମିତା ଦିନ ୧ ଟାରେ ତାଙ୍କର ଫାଇନାଲ ଖେଳିବେ । ସେହିଭଳି ଅପରାହ୍ନ ୩ଟା ୩୦ ରେ ଆକ୍ସନରେ ଆସିବେ ଅର୍ଜୁନ ।ଏହାବାଦ ଧୀରଜ ବୋମ୍ମଦେବରା, ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ ତୀରନ୍ଦାଜୀରେ ଚମକିବେ ବୋଲି ଆଶା ରଖିଛନ୍ତି ଭାରତବାସୀ । ତେବେ ଦେଖିବାକୁ ରହିଲା ସତରେ ଭାରତ ମୁଣିରେ କେତେ ମେଡାଲ ଆଜି ଆସୁଛି । ସୁଟିଂ ଓ ତୀରନ୍ଦାଜ ବ୍ୟତୀତ ଭାରତୀୟ ଆଥଲେଟ ଅନ୍ୟ ଖେଳରେ ମଧ୍ୟ ନିଜର ଜଲୱା ଦେଖାଇବେ ।