ଦ୍ବନ୍ଦ୍ବ ଦୂର କଲେ ରୋହିତ, ଅଗରକର
ଚଳିତ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତ୍ବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ସ୍ଥାନ ପାଇ ନାହାନ୍ତି। ଯାହା କ୍ରିକେଟ୍ ବିଶେଷଜ୍ଞଙ୍କ ସହ ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରିଛି। ଏପରିକି ବହୁ ପୂର୍ବତନ କ୍ରିକେଟର୍ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତିକୁ ଏଥିଲାଗି ତୀବ୍ର ସମାଲୋଚନା କରିଛନ୍ତି। ବିବାଦ ବଢ଼ିବା ଦେଖି ଏହି ମାମଲାରେ ଅଗରକର ପାଟି ଖୋଲିଛନ୍ତି। ତାଙ୍କୁ ବାଦ୍ ଦେବାର କାରଣ ଉପରୁ ପରଦା ଉଠାଇଛନ୍ତି। ଗୁରୁବାର ବିଶ୍ବକପ୍ ଦଳ ଘୋଷଣା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ବିବାଦକୁ ଦୂର କରିବା ଲାଗି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ରାହୁଲ ବାଦ୍ ପଡ଼ିବା ନେଇ ଅଗରକର କହିଛନ୍ତି, ଆମେ ସମସ୍ତେ ଜାଣିଛେ ରାହୁଲ ଜଣେ ଚମତ୍କାର ଖେଳାଳି। ହେଲେ ଆମକୁ ମଧ୍ୟକ୍ରମରେ ବଡ଼ ବଡ଼ ସଟ୍ ଖେଳିପାରୁଥିବା ଖେଳାଳି ଦରକାର ଥିଲା। ରାହୁଲ ଶୀର୍ଷକ୍ରମରେ ଖେଳନ୍ତି, ପୁଣି ସଞ୍ଜୁ ସାମସନଙ୍କର ତଳେ ବ୍ୟାଟିଂ କରିବାକୁ ଆସି ବିସ୍ଫୋରକ ବ୍ୟାଟିଂ କରିବାର ଦକ୍ଷତା ରହିଛି। ଏଣୁ ରାହୁଲଙ୍କ ପରିବର୍ତ୍ତେ ସଞ୍ଜୁଙ୍କୁ ଦଳରେ ନେବାକୁ ବାଧ୍ୟ ହେଲୁ। ସେହିଭଳି ଯଦି ହାର୍ଦିକ ପାଣ୍ଡ୍ୟା ଫିଟ୍ ଅଛନ୍ତି, ତାହେଲେ ତାଙ୍କର କୌଣସି ବିକଳ୍ପ ନାହିଁ। ଏହି କାରଣରୁ ଚଳିତ ଆଇପିଏଲ୍ରେ ଖରାପ କରିବା ସତ୍ତ୍ବେ ତାଙ୍କୁ ଆମେ ଦଳରେ ରଖିଛୁ। ରିଙ୍କୁ ବାଦ୍ ପଡ଼ିବା ଦୁର୍ଭାଗ୍ୟଜନକ। ଶୁବମନ ଗିଲ୍ ମଧ୍ୟ କିଛି ଭୁଲ୍ କରି ନାହାନ୍ତି।