ଦିନିକିଆରେ ଭାରତର ପରାଜୟ ସହ ସିରିଜ୍ ହାତଛଡା
ମେଟ୍ରୋ ଟିଭି ଓଡିଶା,୨୨/୧ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଆଶା ବି ହରାଇଛି ଭାରତ । ଦିନିକିଆରେ ହୋଇଥିବା ୨ୟ ମ୍ୟାଚରେ ୭ୱିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜ୍ ୨-୧ରେ ହାରିବା ସହ ୩ ଟିକିଆ ଦିନିକିଆ ସିରିଜ୍କୁ ୦-୨ରେ ହାରି ସିରିଜ୍ ହାତଛଡା କରିଛି ଭାରତ ।
ଦ୍ବିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ୨୮୮ ରନ ସଂଗ୍ରହ କରିନେଇଛି । ଦଳ ପକ୍ଷରୁ ୨ ଓପନର ଜାନେମନ୍ ମଲାନ୍ ଏବଂ କ୍ବିଣ୍ଟନ୍ ଡି କକ୍ ଚମତ୍କାର ଆରମ୍ଭ କରିଥିଲେ । ପ୍ରଥମ ଓ୍ବିକେଟ ପାଇଁ ଉଭୟ ୧୩୨ ରନ କରିଥିଲେ । ଡି କକ୍ ବ୍ୟକ୍ତିଗତ ଭାବେ ୭୮ ରନ କରି ଆଉଟ ହୋଇଥିବା ବେଳେ ମଲାନ୍ ୯୧ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଅଧିନାୟକ ଟେମ୍ବା ବାଭୁମା ୩୫ ରନ କରି ଆଉଟ ହୋଇଛନ୍ତି । ଏଡେନ୍ ମାର୍କରମ୍ ୩୭ ଏବଂ ଭାନ୍ ଡର୍ ଡୁସେନ୍ ୩୭ ରନ କରି ଅପରାଜିତ ଅଛନ୍ତି ।
ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୧୦ ଓଭରରେ ୩୭ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୧୦ ଓଭରରେ ୬୮ ରନ, ଯୁଜବେନ୍ଦ୍ର ଚହଲ ୧୦ ଓଭରରେ ୪୭ରନ ଦେଇ ୧ ଓ୍ବିକେଟ, ଶାର୍ଦ୍ଧୁଲ ଠାକୁର ୫ ଓଭରରେ ୩୫ ରନଦେଇ ୧ ଓ୍ବିକେଟ, ଭୁବନେଶ୍ବର କୁମାର ୮ ଓଭରରେ ୬୭ରନ, ଶ୍ରେୟସ ଆୟର ୦.୧ ଓଭରରେ ୧ ରନ ଏବଂ ଭେଙ୍କଟେଶ୍ ଆୟର ୫ ଓଭରରେ ୨୮ ରନ ଦେଇଛନ୍ତି ।