ଡୁ ପ୍ଲେସି, ହସରଙ୍ଗା ଆର୍‌ସିବିକୁ ଜିତାଇଲେ

ଡୁ ପ୍ଲେସି, ହସରଙ୍ଗା ଆର୍‌ସିବିକୁ ଜିତାଇଲେ

ମେଟ୍ରୋ ଟିଭି ଓଡିଶା (୯.୫.୨୦୨୨)

 ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ପ୍ରଥମ ମୁକାବିଲାରେ ଆର୍‌ସିବି ୬୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ରବିବାର ଉଭୟ ଦଳଙ୍କ ମଧ୍ୟରେ ୨ୟ ମୁକାବିଲାରେ ଆର୍‌ସିବି ପ୍ରତିଶୋଧ ନେବା ସହ ୬୭ ରନ୍‌ରେ ଜିତିଛି। ୧୨ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ଆର୍‌ସିବି ୪ର୍ଥ ସ୍ଥାନରେ ରହି ପ୍ଲେଅଫ୍ ଖେଳିବା ଦୌଡ଼ରେ ରହିପାରିଛି। ଫାଫ୍‌ ଡୁ ପ୍ଲେସି ପୂରା ଇନିଂସ ବ୍ୟାଟିଂ କରିଥିବା ବେଳେ ରଜତ ପାଟିଦାର ଓ ଗ୍ଲେନ୍‌ ମ୍ୟାକ୍ସୱେଲ ଉପଯୋଗୀ ଇନିଂସ ଖେଳିଥିଲେ ଏବଂ ଶେଷଆଡ଼କୁ ଦିନେଶ କାର୍ତ୍ତିକ ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୩ ୱିକେଟରେ ୧୯୨ ରନ୍‌ କରିଥିଲା। ପରେ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୱାନିନ୍ଦୁ ହସରଙ୍ଗା ୫ଟି ୱିକେଟ ନେବାରୁ ସନ୍‌ରାଇଜର୍ସ ହାଇଦରାବାଦ ୪ଟି ବଲ୍‌ ବାକିଥାଇ ମାତ୍ର ୧୨୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। କ୍ରମାଗତ ୫ଟି ମ୍ୟାଚ୍‌ ଜିତିବା ପରେ ସନ୍‌ରାଇଜର୍ସ କ୍ରମାଗତ ୪ର୍ଥ ପରାଜୟ ଭୋଗିଛି। ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ ସନ୍‌ରାଇଜର୍ସ ଚିନ୍ତାରେ ପଡ଼ିଯାଇଛି।


ଆର୍‌ସିବି ପରି ସନ୍‌ରାଇଜର୍ସ ମଧ୍ୟ ପ୍ରଥମ ବଲ୍‌ରେ ୱିକେଟ ହରାଇଥିଲା। କେନ୍ ୱିଲିୟମ୍‌ସନ ପ୍ରଥମ ବଲ୍‌ରେ ରନ୍‌ଆଉଟ୍‌ ହୋଇଥିଲେ। ପ୍ରଥମ ଓଭରରେ ୨ୟ ୱିକେଟ ଭାବେ ଅନ୍ୟ ଓପ୍‌ନର ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। ପରେ ରାହୁଲ ତ୍ରିପାଠୀ ଓ ଐଡେନ୍ ମାର୍କରାମ ଲଢ଼ୁଆ ବ୍ୟାଟିଂକରି ଦ୍ରୁତ ୫୦ ରନ୍‌ ଯୋଡ଼ିଥିଲେ। ମାର୍କରାମ ୨୭ ବଲ୍‌ରୁ ୨୧ ରନ୍‌ କରିଥିଲେ। ନିକୋଲାସ୍ ପୁରନ୍‌ଙ୍କ ସହ ତ୍ରିପାଠୀ ୪୮ ରନ୍‌ ଯୋଡ଼ିଥିଲେ। ବାମହାତି ପୁରନ୍‌ ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌ କରିଥିଲେ। ପରେ ୩୬ ରନ୍‌ରେ ସନ୍‌ରାଇଜର୍ସ ୭ଟି ୱିକେଟ ହରାଇ ୧୨୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ରାହୁଲ ତ୍ରିପାଠୀ ୩୭ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୮ ରନ୍‌ କରିଥିଲେ। ୱାନିନ୍ଦୁ ହସରଙ୍ଗା ୪ ଓଭରରୁ ମାତ୍ର ୫୮ ରନ୍‌ଦେଇ ପ୍ଲେଅର୍ ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଜୋସ୍ ହାଜେଲ୍‌ଉଡ୍‌ ୨ଟି ୱିକେଟ ନେଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ବ୍ୟାଟିଂ ନେଇଥିଲା। ବିରାଟ କୋହଲି ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ୨ୟ ୱିକେଟ ପାଇଁ ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ରଜତ ପାଟିଦାର ଚମତ୍କାର ବ୍ୟାଟିଂକରି ୭୩ ବଲ୍‌ରୁ ୧୦୫ ରନ୍‌ ଯୋଡ଼ିଥିଲେ। ପାଟିଦାର ଆକର୍ଷଣୀୟ ବ୍ୟାଟିଂକରି ୩୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୮ ରନ୍‌ କରିଥିଲେ। ପରେ ଡୁ ପ୍ଲେସି ଓ ଗ୍ଲେନ୍ ମ୍ୟାକ୍ସୱେଲ ୩ୟ ୱିକେଟ ପାଇଁ ୬ ଓଭରରେ ୫୪ ରନ୍‌ ଯୋଡ଼ିଥିଲେ। ମ୍ୟାକ୍ସୱେଲ୍‌ ସ୍ବାଭାବିକ ବିସ୍ଫୋରକ ବ୍ୟାଟିଂ କରି ପାରିନଥିଲେ ମଧ୍ୟ ୨୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକଙ୍କୁ ମାତ୍ର ୮ଟି ବଲ୍‌ ଖେଳିବାକୁ ମିଳିଥିବା ବେଳେ ଏହି ୮ ବଲ୍‌ରେ ସେ ସନ୍‌ରାଇଜର୍ସ ବୋଲିଂକୁ ଖିନ୍‌ଭିନ୍‌ କରି ଦେଇଥିଲେ। ଶେଷ ଓଭରରୁ ୨୫ ରନ୍‌ ଆସିଥିଲା। କାର୍ତ୍ତିକ ୮ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍‌କରି ଅପରାଜିତ ଥିଲେ। ପୂରା ଇନିଂସ ଖେଳି ଫାଫ୍ ଡୁ ପ୍ଲେସି ୫୦ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୭୩ ରନ୍‌କରି ଅପରାଜିତ ଥିଲେ। ଜଗଦ୍ଦୀଶ ସୁଚିତ ୨ଟି ୱିକେଟ ନେଇଥିଲେ।