ଖେଲୋ ଇଣ୍ଡିଆକୁ ୯୦୦ କୋଟି

ବଜେଟ୍ ୨୦୨୪-୨୫ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଫ୍ଲାଗସିପ୍ ପ୍ରକଳ୍ପ ଖେଲୋ ଇଣ୍ଡିଆ ପାଇଁ କ୍ରୀଡା ମନ୍ତ୍ରଣାଳୟକୁ ଏହି ଅର୍ଥ ପ୍ରଦାନ କରାଯାଇଛି।ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଁ ୩,୪୪୨.୩୨ କୋଟିରୁ ଖେଲୋ ଇଣ୍ଡିଆ ପାଇଁ ୯୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତ ଆର୍ଥିକ ବର୍ଷରେ ୮୮୦ କୋଟି ଟଙ୍କା ସଂଶୋଧିତ ଆବଣ୍ଟନଠାରୁ ଏହି ପରିମାଣ ୨୦ କୋଟି ଟଙ୍କା ଅଧିକ । ପ୍ୟାରିସ୍ ଅଲିମ୍ପିକ୍ ଚଳିତ ବର୍ଷ ଅଗଷ୍ଟରେ ଶେଷ ହେବାକୁ ଯାଉଛି ଏବଂ କମନୱେଲଥ୍ ଗେମ୍ସ ଏବଂ ଏସୀୟ ଗେମ୍ସକୁ ଦୁଇବର୍ଷ ବାକି ଅଛି। ଏଭଳି ପରିସ୍ଥିତିରେ ପୂର୍ବ ବର୍ଷ ତୁଳନାରେ କ୍ରୀଡା ମନ୍ତ୍ରଣାଳୟର ବଜେଟରେ ମାତ୍ର ୪୫.୩୬ କୋଟି ଟଙ୍କା ସାମାନ୍ୟ ବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷ ପାଇଁ ଶେଷରେ କ୍ରୀଡା ମନ୍ତ୍ରଣାଳୟର ବଜେଟ୍ ୩,୩୯୬.୦୬ କୋଟି ଟଙ୍କା ଥିଲା।ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଭା ଅନ୍ୱେଷଣ କରିବାକୁ ଚେଷ୍ଟା କରୁଥିବାରୁ ଗତ କିଛି ବର୍ଷ ମଧ୍ୟରେ ଖେଲୋ ଇଣ୍ଡିଆରେ ସରକାର ବିପୁଳ ପରିମାଣର ବିନିଯୋଗ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଖେଲୋ ଇଣ୍ଡିଆ ପାଇଁ ପ୍ରକୃତ ଆବଣ୍ଟନ ୫୯୬.୩୯ କୋଟି ଟଙ୍କା ଥିଲା। ଗତ ବର୍ଷ ୨୦୨୩-୨୪ ପାଇଁ ବଜେଟ୍ ପ୍ରାୟ ୪୦୦ କୋଟିରୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହାକୁ ୮୮୦ କୋଟି ଟଙ୍କାକୁ ସଂଶୋଧନ କରାଯାଇଥିଲା।