ଇତିହାସ ରଚିଲେ ଧୋନୀ
ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି । ତେବେ ଏହି ମ୍ୟାଚରେ ଏକ ଇତିହାସ ସୃଷ୍ଟି କରିଛନ୍ତି ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ପଞ୍ଜାବ ବିପକ୍ଷ ମ୍ୟାଚରେ ଧୋନୀ ପ୍ରଥମ ବଲରେ ନିଜ ୱିକେଟ ହରାଇ ପାଭିଲିୟନ୍ ଫେରିଛନ୍ତି । କିନ୍ତୁ ୱିକେଟ କିପର ଭାବରେ ଏକ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି ମାହି । ଆଇପିଏଲ ଇତିହାସରେ ଏଭଳି କରିବାରେ ସେ ପ୍ରଥମ ୱିକେଟ କିପର ପାଲଟିଛନ୍ତି ।ପଞ୍ଜାବ କିଙ୍ଗସ ବିପକ୍ଷରେ ୧୧ ତମ ଓଭର ବୋଲିଂ କରୁଥିଲେ ଇମ୍ପାକ୍ଟ ପ୍ଲେୟର ସିମରଜିତ୍ ସିଂହ । ଏହି ଓଭରର ଚତୁର୍ଥ ବଲରେ ଜିତେଶ ଶର୍ମାଙ୍କ ୱିକେଟ ହାସଲ କରିଥିଲା ଚେନ୍ନାଇ । ୱିକେଟ ପଛରେ ଏମ.ଏସ ଧୋନୀ ଜିତେଶଙ୍କ କ୍ୟାଚ୍ ନେଇ ଆଇପିଏଲରେ ଇତିହାସ ନିଜ ନାମରେ କରିଛନ୍ତି । ପ୍ରଥମ ୱିକେଟ କିପର ଭାବରେ ଧୋନୀ ଆଇପିଏଲରେ ୧୫୦ କ୍ୟାଚ ନେବାରେ ସଫଳ ହୋଇଛନ୍ତି । ନିଜର ୨୬୧ତମ ମ୍ୟାଚରେ ୧୫୦ଟି କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଏମ.ଏସ ଧୋନୀ । ତେବେ ୧୪୪ଟି ୱିକେଟ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକ ରହିଥିବା ବେଳେ ଏବି ଡି ଭିଲିୟର୍ସ ୧୧୯ ୱିକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।ତେବେ ଆଇପିଏଲରେ ୧୫୦ କ୍ୟାଚ ହାସଲ କରିଥିବା ବେଳେ ମୋଟ ୧୯୨ଟି ଶିକାର କରିଛନ୍ତି ମାହି । ଆଇପିଏଲ କ୍ୟାରିୟରରେ ୧୫୦ କ୍ୟାଚ ବ୍ୟତୀତ ଧୋନୀ ୪୨ଟି ଷ୍ଟମ୍ପିଙ୍ଗ ମଧ୍ୟ କରିଛନ୍ତି । ଏହାବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ-ୱିକେଟ କିପର ଋଷଭ ପନ୍ତ ବର୍ତ୍ତମାନ ସୁଦ୍ଧା ମୋଟ ୭୫ଟି କ୍ୟାଚ ସଂଗ୍ରହ କରି ସାରିଛନ୍ତି । ଏହାବ୍ୟତୀତ ପଞ୍ଜାବ ବିପକ୍ଷ ମ୍ୟାଚରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଧୋନୀ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।