ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ
ସର୍ବପୁରାତନ ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍ର କାର୍ଲୋସ୍ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାରେ ସମର୍ଥ ହୋଇଛନ୍ତି ଅଲକାରାଜ। ପ୍ରଥମ ଦୁଇ ସେଟ୍ରେ ଅଲକାରାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଦ୍ରୁତ ସର୍ଭିସର କୌଣସି ଉତ୍ତର ଜୋକୋଭିଚ୍ଙ୍କ ନିକଟରେ ନ ଥିଲା। ତୃତୀୟ ସେଟ୍ରେ ଉଭୟ ଖେଳାଳି ପରସ୍ପରକୁ ଛାଡି ନ ଥିବା ବେଳେ ମ୍ୟାଚ୍ ଟାଇବ୍ରେକରକୁ ଯାଇଥିଲା। ଏହାକୁ ୭-୪ରେ ଜିତିବା ସହ କ୍ୟାରିୟରର ଦ୍ୱିତୀୟ ତଥା ଓଭରଅଲ ଚତୁର୍ଥ ଗ୍ରାଣ୍ଡସ୍ଲାମ ଜିତିଥିଲେ ଅଲକାରାଜ।ସିନିଆକୋଭା-ଟାଉନସେଣ୍ଡଙ୍କୁ ମହିଳା ଡବଲ୍ସ ଟାଇଟଲ ମହିଳା ଡବଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି ଚେକ୍ ରିପବ୍ଲିକ୍ର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କାନାଡାର ଗାବ୍ରିଏଲା ଡାବ୍ରୋସ୍କି ଓ ନ୍ୟୁଜିଲାଣ୍ଡର ଏରିନ୍ ରୁଟଲିଫେଙ୍କୁ ୭-୬(୭/୫) ଓ ୭-୬(୭/୧) ସେଟ୍ରେ ପରାସ୍ତ କରିଥିଲେ ସିନିଆକୋଭା-ଟାଉନସେଣ୍ଡ। ଫାଇନାଲ ମ୍ୟାଚ୍ଟି ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ସିନିଆକୋଭା-ଟାଉନସେଣ୍ଡ ସିଧାସଳଖ ସେଟ୍ରେ ଫାଇନାଲ ଜିତିଥିଲେ ମଧ୍ୟ ଉଭୟ ସେଟ୍ ଟାଇବ୍ରେକରରେ ଫଇସଲା ହୋଇଥିଲା। ପ୍ରଥମ ସେଟ୍ଟି ୬-୬ରେ ଥିବାବେଳେ ୭-୫ ଟାଇବ୍ରେକରରେ ଏହାର ଫଳାଫଳ ମିଳିଥିଲା। ଅନ୍ୟ ପକ୍ଷରେ ଦ୍ୱିତୀୟ ସେଟ ଟାଇବ୍ରେକରକୁ ସମ୍ପୂର୍ଣ୍ଣ ଏକପାଖିଆ ଜିତି ନେଇଥିଲେ ସିନିଆକୋଭା-ଟାଉନସେଣ୍ଡ।