ୱିମ୍ବଲଡନ୍‌ରୁ ଆରମ୍ଭ, ଦୁବାଇରେ ଶେଷ

ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର ଶେଷ ହୋଇଛି। ଦୁବାଇ ଓପନ୍‌ରେ ମଙ୍ଗଳବାର ଭେରୋନିକା କୁଦେରମେତୋଭା ଓ ଲିଉଡ୍‌ମିଲା ସାମ୍‌ସୋନୋଭାଙ୍କ ଯୋଡ଼ିଠୁ ୪-୬, ୦-୬ରେ ସାନିଆ ଓ ତାଙ୍କ ସାଥୀ ମାଡିସନ୍‌ କିଜ୍‌ ପରାସ୍ତ ହେବାରୁ ଟେନିସ୍‌ ଯାତ୍ରାର ଅନ୍ତ ଘଟିଛି। ଏହାଭିତରେ ପାଖାପାଖି ୨୦ ବର୍ଷର ପେସାଦାର ଟେନିସ୍‌ ଜୀବନ ମଧ୍ୟ ସାମିଲ ଅଛି।  ୨୦୦୩ରେ ଯେତେବେଳେ ୱିମ୍ବଲଡନ୍‌ ବାଳିକା ଯୁଗଳରେ ସାନିଆ ବିଜେତା ହୋଇଥିଲେ, ସେତେବେଳେ କେବଳ ସେ ଏକା ଜିତିନଥିଲେ, ବରଂ ଜୀବନରେ କିଛି ବଡ଼ କରିବାକୁ ଚାହୁଁଥିବା ପ୍ରତ୍ୟେକଟି ଝିଅ ଆଗକୁ ବଢିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ।  ୬ ଗ୍ରାଣ୍ଡସ୍ଲାମ୍‌କୁ କବ୍‌ଜା କରିଥିଲେ।

ସାନିଆଙ୍କ ଟେନିସ୍‌ ଯାତ୍ରାର ଦୃଢ ମୂଳଦୁଆ ପଡ଼ିଥିଲା ୨୦୦୩ରେ। ସେହି ବର୍ଷ ୱିମ୍ବଲଡନ୍‌ରେ ହୋଇଥିବା କନିଷ୍ଠ ବାଳିକା ଯୁଗଳକୁ ଜିତି ସାନିଆ ଆନ୍ତର୍ଜାତିକସ୍ତରରେ ନିଜର ଛାପ ଛାଡ଼ିଥିଲେ। ୨୦୦୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ସାନିଆ ପ୍ରଥମ ଭାରତୀୟ ମହିଳା ଭାବେ ସିଡେଡ୍‌ ଖେଳାଳି ମାନ୍ୟତା ପାଇଥିଲେ। ୨୦୦୭ ୟୁଏସ୍‌ ଓପନ୍‌ରେ ସାନିଆ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିବା ସହ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୨୭ତମ ସ୍ଥାନରେ ପହଞ୍ଚିଥିଲେ। ୨୦୦୮ରେ ମହେଶ ଭୂପତିଙ୍କୁ ସାଥି କରି ସାନିଆ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳର ଉପବିଜେତା ହୋଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଏହାର ବିଜେତା ହୋଇଥିଲେ।ତାଙ୍କ କ୍ୟାରିୟର୍‌ରେ ୬ ଗ୍ରାଣ୍ଡସ୍ଲାମ୍‌, ୪୩ ଯୁଗଳ, ୩ ମିଶ୍ରିତ ଯୁଗଳ, ଏସୀୟ କ୍ରୀଡ଼ାରେ ୨ ସ୍ବର୍ଣ୍ଣ, ୩ ରୌପ୍ୟ, ୩ କାଂସ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧ ରୌପ୍ୟ ଓ କାଂସ୍ୟ ଏବଂ ଆଫ୍ରୋ-ଏସୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି।