ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି

ଅଲିମ୍ପିକ୍ ତଥା ବିଶ୍ବ ବିଜେତା ଭାରତୀୟ ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରା ଚମତ୍କାର ଢ଼ଙ୍ଗରେ ପ୍ରତିଯୋଗିତାକୁ ଫେରିଛନ୍ତି। ଫିନଲ୍ୟାଣ୍ଡ୍‌ର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ପଦକ ଜିତି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ନିଜ ଆତ୍ମବିଶ୍ବାସ ବଢ଼ାଇଛନ୍ତି। ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ସେ ଫିଙ୍ଗିଥିବା ୮୫.୯୭ ମିଟର୍ ତାଙ୍କୁ ଶୀର୍ଷରେ ରଖିଥିଲା। ଫିନ୍‌ଲାଣ୍ଡ୍‌ର ଟୋନି କିରାନେନ୍ (୮୪.୧୯ ମିଟର୍) ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ବନ୍ଦ୍ବୀ ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାଣ୍ଡର୍‌ (୮୩.୯୬ ମିନିଟ୍‌) ତୃତୀୟ ସ୍ଥାନରେ ରହିଛି।