ଷ୍ଟାଡିୟମ୍‌ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବ

ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆସନ୍ତା ୨୬ରୁ ଅଲିମ୍ପିକ୍‌ କ୍ରୀଡ଼ା ଆରମ୍ଭ ହେଉଛି। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ; ନଦୀ ଉପରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟରେ ବହିଯାଇଛି ସିନ୍ ନଦୀ। ଏହି ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍‌ଙ୍କ ପରେଡ୍‌ ହେବ। ଏହି ନୌକାରେ ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ନଦୀ ଉପରେ ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ସାରା ପ୍ୟାରିସ୍ ସହର ଷ୍ଟାଡିୟମ୍‌ ପାଲଟିବ ଏବଂ ସେନ୍ ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ ନୌକାରେ କ୍ରୀଡ଼ାବିତ୍‌ଙ୍କ ଏହି ଅଭିନବ ଯାତ୍ରା ଦେଖିବେ।

ପ୍ୟାରିସ୍ ଅଲିମ୍ପିକ୍‌ସର ଆୟୋଜନ କମିଟି ମୁଖ୍ୟ ଟୋନି ଏଷ୍ଟଗ୍ବେ ଏପରି ଅଭିନବ ଉଦ୍‌ଘାଟନୀ ଉତ୍ସବରେ ଯୋଜନା କରିଛନ୍ତି। କ୍ରୀଡ଼ାବିତ୍‌ଙ୍କୁ ଧରି ୮୦ରୁ ୧୦୦ ନୌକା ପଣ୍ଟ୍ ଡି ଅଷ୍ଟର୍‌ଲିଜ୍‌ ସେତୁ ନିକଟରୁ ଯାତ୍ରା ଆରମ୍ଭ କରିବେ। ସମସ୍ତ ନୌକା ସିନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ବାଟରେ ନୌକାଗୁଡ଼ିକୁ ୧୮ଟି ସେତୁ ପାର କରିବାକୁ ପଡ଼ିବ ଏବଂ ପ୍ୟାରିସ୍‌ର ନାମୀ ସ୍ଥଳ ଦେଇ ଯାତ୍ରାକରିବେ। ଇଫେଲ୍‌ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଐଫେଲ୍‌ ଟାୱର ନିକଟରେ ଥିବା ଚମ୍ପିଆନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ପରିଣତ କରାଯାଇଛି। ଏଥିରେ ୧୩ ହଜାର ଦର୍ଶକ ବସିପାରିବେ। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ହିଁ ଫ୍ରାନ୍‌ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ର ଶୁଭାରମ୍ଭ ଘୋଷଣା କରିବେ।