ଅଲଟିମେଟ୍‌ ଖୋ ଖୋ: ଫାଇନାଲରେ ଓଡ଼ିଶା ଜଗରନଟ୍ସ

ପୁନେର ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଇତିହାସ ରଚିଛି ଓଡ଼ିଶା ଜଗରନଟ୍ସ । ଏଠାରେ ଚାଲିଥିବା ଅଲଟିମେଟ୍‌ ଖୋ ଖୋ ଲିଗର ପ୍ରଥମ କ୍ୱାଲିଫାୟରରେ ବିଜୟୀ ହୋଇ ଓଡ଼ିଶା ଜଗରନଟ୍ସ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଜଗରନଟ୍ସ ଚମତ୍କାର ଖେଳ ପ୍ରଦର୍ଶନ କରି ୫୭-୪୩ରେ ଗୁଜରାଟ ଜାଏଣ୍ଟସକୁ ପରାଜିତ କରିଥିଲା । ସୂରଜ ଲାଣ୍ଡେ ଓ ସୂର୍ଯ୍ୟାସ ଗାର୍ଗାଟେ ଆକର୍ଷଣୀୟ ପ୍ରଦର୍ଶନ ସହ ଓଡ଼ିଶାର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଗୁଜରାଟ ପରାଜିତ ହେବା ପରେ ଦ୍ୱିତୀୟ କ୍ୱାଲିଫାୟରରେ ତେଲଗୁ ଯୋଦ୍ଧାସକୁ ଭେଟିବ । ଶୁକ୍ରବାର ଏଲିମିନେଟର ମ୍ୟାଚ୍‌ରେ ତେଲଗୁ ୬୧-୪୩ରେ ଚେନ୍ନାଇ କୁଇକ ଗନସ୍‌କୁ ପରାଜିତ କରିଥିଲା । ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଆସନ୍ତା ରବିବାର ଦିନ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟର ବିଜେତା ସହ ଓଡ଼ିଶା ଫାଇନାଲ ଖେଳିବ । ଚାମ୍ପିଅନ ଦଳକୁ ଏକ କୋଟି ଟଙ୍କା ପୁରସ୍କାର ମିଳିବ ।