ଆଜି ବିଶ୍ବ ଚେସ ଦିବସ
ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଚେସ ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦ ତାରିଖରେ ଚେସ୍ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଡେ ସ୍ଥାପିତ ହୋଇଥିଲା। ଏହି ଦିବସକୁ ୧୯୬୬ ମସିହାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ଜାତିସଂଘ ମହାସଭା ଦ୍ବାରା ଏହି ଦିବସକୁ ସ୍ବୀକୃତି ମିଳିଛି। ବିଶ୍ବର ପ୍ରାୟ ୧୮୮ ଦେଶରେ ପ୍ରାୟ ସାଢ଼େ ୬ କୋଟି ସ୍ବୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ବିଶ୍ବ ଚେସ୍ ଦିବସର ମୋଟୋ ରହିଛି ‘ପ୍ରତ୍ୟେକଙ୍କୁ ଚେସ୍ ଶିଖାଇବା’।
ଚେସ୍ ଖେଳ ଅନ୍ୟ ଖେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ତାଳି ନଥାଏ କି ଜୟ ପରାଜୟରେ କୌଣସି ଶବ୍ଦ ବା ଚିତ୍କାର ବି ନଥାଏ। ଫଳରେ ବ୍ୟକ୍ତିର ଆଦ୍ୟ ଜୀବନକୁ ଶୃଙ୍ଖଳିତ କରିବା ସହ ଶୃଙ୍ଖଳିତ ଚରିତ୍ରର ଅବଧାରଣ କରିଥାଏ। ମାନସିକ ଓ ବୌଦ୍ଧିକ ବିକାଶର ଏହା ଅନ୍ୟତମ ଉପଯୁକ୍ତ ମାଧ୍ୟମ ଥିବାରୁ ଚେସ୍ ଖେଳାଳି ଓ ଖେଳ ପ୍ରତି ସମାଜରେ ସମ୍ମାନ ବଢ଼ିଥାଏ। ଏଥି ସହିତ ଚେସ୍ ଅନେକ ମାନବୀୟ ଗୁଣ ସବୁକୁ ଶିକ୍ଷା ଦେଇଥାଏ। ସ୍ମରଣଶକ୍ତି, ମାନସିକ ଦକ୍ଷତା, ଗଣନା କ୍ଷମତା, ଭାବନା ଶକ୍ତି, ସୃଜନଶୀଳତା, ଏକାଗ୍ରତା ବୃଦ୍ଧିର ଏହା ମଧ୍ୟ ଅନ୍ୟତମ ଉପଯୁକ୍ତ ମାଧ୍ୟମ।
ବର୍ତ୍ତମାନ ଭାରତ ବିଶ୍ବ ଚେସ୍ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଅନ୍ୟତମ ସୁପର୍ ପାୱାର ଭାବେ ବର୍ତମାନ ରୁଷିଆ ପଛକୁ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଏବେ ୫୬,୪୪୬ ଅନ୍ତର୍ଜାତୀୟ ଏଲୋ ରେଟେଡ୍ ଖେଳାଳି, ୮୫ ଜଣ ଗ୍ରାଣ୍ଡ ମାଷ୍ଟର୍, ୧୨୪ ଅନ୍ତର୍ଜାତୀୟ ମାଷ୍ଟର୍, ୨୩ ମହିଳା ଗ୍ରାଣ୍ଡ୍ ମାଷ୍ଟର୍, ୪୨ ମହିଳା ଅନ୍ତର୍ଜାତୀୟ ମାଷ୍ଟର୍ ଅଛନ୍ତି। ବିଶ୍ବନାଥନ ଆନନ୍ଦ, କୋନେରୁ ହମ୍ପିଙ୍କ ପରବର୍ତ୍ତୀ ପିଢ଼ିରେ ବର୍ତ୍ତମାନ ଅର୍ଜୁନ ଏରିଗୈସି, ଡି ଗୁକେଶ, ବିଦିତ ଗୁଜରାଟୀ, ନିହାଲ ସାରିନ୍, ହରିକ୍ରୀଷ୍ଣା ଓ ଆର୍ ପ୍ରଜ୍ଞାନନ୍ଦଙ୍କ ଭଳି ଯୁବ ସୁପର ଗ୍ରାଣ୍ଡମାଷ୍ଟର୍ ବିଶ୍ବ ଚେସ୍ରେ ଚହଳ ପକାଇଛନ୍ତି।