୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ଫାଇନାଲ ମ୍ୟାଚ୍ର ଶେଷ ଦିନରେ ମୁମ୍ବାଇ ୧୬୯ ରନରେ ବିର୍ଦ୍ଦଭକୁ ହରାଇ ୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଛି। ୨୦୧୫-୧୬ ପରେ ମୁମ୍ବାଇ ପ୍ରଥମଥର ଟ୍ରଫି କବଜା କରିଛି। ଦୀର୍ଘ ୮ ବର୍ଷ ପରେ ମୁମ୍ବାଇ କ୍ୟାମ୍ପକୁ ରଣଜୀ ଟ୍ରଫି ଫେରିଛି। ଅଜିଙ୍କ୍ୟ ରାହାଣେ ମୁମ୍ବାଇର ୨୬ତମ ଅଧିନାୟକ ଭାବେ ରଣଜୀ ଟ୍ରଫି ଟାଇଟଲ ହାସଲ କରିଛନ୍ତି। ମୁମ୍ବାଇର ସ୍ପିନ ବୋଲିଂ ଅଲରାଉଣ୍ଡର ତନୁଶ କୋଟିଆନ ଓ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ବିର୍ଦ୍ଦଭର ଟ୍ରଫି ଜିତିବା ସ୍ୱପ୍ନକୁ ଚୂରାମାର କରି ଦେଇଛନ୍ତି। ୫୩୮ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ବିର୍ଦ୍ଦଭ ଦ୍ୱିତୀୟ ଇନିଂସରେ ୩୬୮ ରନରେ ଅଲଆଉଟ ହୋଇଛି। ଦଳର ଅଧିନାୟକ ଅକ୍ଷୟ ୱାଡକର(୧୦୨) ଓ ହର୍ଷ ଦୁବେ(୬୫) ଦମଦାର ବ୍ୟାଟିଂ କରିବା ସହ ମୁମ୍ବାଇକୁ କୌଣସି ସଫଳତା ହାସଲ କରିବାକୁ ଦେଇ କୋଟିଆନ ଓ ଅନ୍ୟ ବୋଲରମାନେ ନିଜର ଜଲୱା ଦେଖାଇଥିଲେ। ନିଜର ଶେଷ ରଣଜୀ ମ୍ୟାଚ୍ ଖେଳୁଥିବା ଧୱଲ କୁଲକର୍ଣ୍ଣୀ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କୁ ଶେଷ ମ୍ୟାଚ୍ରେ ଅଧିନାୟକ ରାହାଣେ ଓ ୱାଙ୍ଖେଡେ ଦର୍ଶକ ପୂରା ସମର୍ଥନ କରିଥିଲେ। ସେ ବିର୍ଦ୍ଦଭର ଶେଷ ବ୍ୟାଟର ଉମେଶ ଯାଦବଙ୍କୁ ବୋଲ୍ଡ କରି ମୁମ୍ବାଇକୁ ୪୨ ଥର ପାଇଁ ରଣଜୀ ଚାମ୍ପିୟନ କରିଥିଲେ। ସେ ବିଜୟର ଶେଷ ୱିକେଟ ନେ ନିଜର ବିଦାୟକୁ ଅଧିକ ସ୍ମରଣୀୟ କରିଛନ୍ତି।
ମୁମ୍ବାଇ ତା’ର ପ୍ରଥମ ଇନିଂସରେ ୨୨୪ ରନ କରିଥିଲା। ଏହାର ଜବାବରେ ବିର୍ଦ୍ଦଭ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୦୫ ରନ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସରେ ୧୯ ବର୍ଷୀୟ ମୁଶୀର ଖାନଙ୍କ ଲଢ଼ୁଆ ଶତକ ବଳରେ ମୁମ୍ବାଇ ୪୧୮ କରିଥିଲା। ଏହାପରେ ବିର୍ଦ୍ଦଭକୁ ଜିତିବା ପାଇଁ ୫୩୮ ରନର ବିଶାଳ ଲକ୍ଷ୍ୟ ମିଳିଥିଲା। ଦଳ ଦମଦାର ଲଢ଼େଇ କରିବା ସହ ମ୍ୟାଚ୍କୁ ଡ୍ର କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ମୁମ୍ବାଇ ବୋଲର ଲଞ୍ଚ ପରେ କମାଲ କରି ବିର୍ଦ୍ଦଭକୁ ୩୬୮ ରନରେ ଅଲଆଉଟ କରି ଦେଇଥିଲେ।