ମୁମ୍ବାଇ ଇଣ୍ଡିଆନ୍ସର ଐତିହାସିକ ବିଜୟ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ୨୦୨୩ର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଐତିହାସିକ ବିଜୟ ରେକର୍ଡ କରିଛି । ଟିମ୍ ଗୁଜୁରାଟକୁ ୧୪୩ ରନରେ ପରାଜିତ କରିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଗୁଜୁରାଟ ଜିଆଣ୍ଟସ ୧୫.୧ ଓଭରରେ ୬୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହରମନପ୍ରୀତ ୬୫ ରନ୍, ହେଲି ମାଥ୍ୟୁସ ୪୭ ରନ୍ ଏବଂ ଅମେଲିୟା କେର୍ ଅପରାଜିତ ୪୫ ରନ୍ ସଂଗ୍ରହ କରିଥିଲା । ଯେତବେଳେ କି ସାଇକ ଇଶାକ ୪ ୱିକେଟ୍ ଅକ୍ତିଆର୍ କରିଥିଲେ । ଟସ୍ ହାରି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିପାରିନଥିଲା ।
ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ୟସ୍ତିକା ଭାଟିୟା ୮ ଟି ବଲରେ ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଓପନ ହେଲି ମାଥ୍ୟୁସ  ନତାଲି ସାଇବରଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୫୪ ରନର ଭାଗିଦାରୀ କରିଥିଲେ । ସାଇବର ନବମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେହିପରି ମାଥ୍ୟୁସ ୧୦ମ ଓଭରରେ ଆଉଟ୍ ହୋଇଯାଇଥିଲେ । ସେ ୩୧ ବଲରେ ୩ ଚୌକା ଏବଂ ୪ ଛକା ଜରିଆରେ ୪୭ ରନ୍ କରିଥିଲେ । ୭୭ ସ୍କୋରରେ ମୁମ୍ବାଇର ତିନି ୱିକେଟ୍ ଯିବା ପରେ ଅଧିନାୟକ ହରମନପ୍ରୀତ ମୋର୍ଚ୍ଚା ସମ୍ଭାଳିଥିଲେ ।