ଭୁବନେଶ୍ବର: ହକି ବିଶ୍ବକପରେ ବିଶ୍ବ ବିଜୟୀ ହୋଇଛି ଜର୍ମାନି। ଦୀର୍ଘ ୧୭ ବର୍ଷ ପରେ ବିଶ୍ବକପ୍ ମଧ୍ୟ ହାସଲ କରିଛି। କ୍ରସ୍ ଓଭର ଖେଳିବାର କଷ୍ଟ ଭିତରୁ ଆଗକୁ ବଢ଼ି ଏହି ୟୁରୋପୀୟ ଦେଶ ତୃତୀୟ ଥର ବିଶ୍ବ ମୁକୁଟ ହାତେଇ ନେଇଛି । ବେଲଜିୟମ୍ ଏକଦା ୨-୦ରେ ଆଗୁଆ ହୋଇଥିଲା ବେଳେ ଜର୍ମାନି ହାର ନମାନି ମ୍ୟାଚ୍ ଶେଷ ବେଳକୁ ଏହାକୁ ୩-୩ରେ ସାରିଥିଲା। ସୁଟ୍ ଆଉଟ୍ (୩-୩) ଓ ସଡନ୍ ଡେଥ୍ (୨-୧)ରେ ବେଲଜିୟମକୁ ୫-୪ରେ ପରାସ୍ତ କରି ବିଜୟୀ ହୋଇଛି । ଏହି ବିଜୟ ସହିତ ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ଏହି ଦେଶ ୨୦୦୨ ଓ ୨୦୦୬ରେ ବିଜେତା ହୋଇଥିଲା। ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍ସ ପରେ ଚତୁର୍ଥ ଦେଶ ଭାବେ ଅନ୍ୟୂନ ୩ ଥର ବିଶ୍ବକପ୍ ଜିତିଲା ଜର୍ମାନି। ପାକିସ୍ତାନ ଏକମାତ୍ର ଦଳ ଭାବେ ୪ ଥର ଏହି ସମ୍ମାନ ପାଇଥିଲେ ମଧ୍ୟ ଏଥର ଯୋଗ୍ୟତା ଅର୍ଜନ କରିନଥିଲା। ମୋଟ ଉପରେ ଜର୍ମାନି କିନ୍ତୁ ନବମ ଥର ପାଇଁ ପଦକ ଜିତିଛି। ଯେଉଁଥିରେ ପଶ୍ଚିମ ଜର୍ମାନିର ୪ ପଦକ ସାମିଲ ରହିଛି। ଅନ୍ୟପକ୍ଷରେ ଉପବିଜେତା ବେଲଜିୟମ୍ କ୍ରମାଗତ ବିଶ୍ବକପ୍ ଜିତିବାର ଗୌରବରୁ ବଞ୍ଚିତ ରହିଲା। ୨୦୧୮ରେ ବେଲଜିୟମ୍ ଏଠାରେ ପ୍ରଥମ ଥର ବିଶ୍ବକପ୍ ଜିତିବା ସହ ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତି ସ୍ବର୍ଣ୍ଣିମ ଯୁଗର ଶୁଭାରମ୍ଭ କରିଥିଲା।
📸 | @DHB_hockey are the new World Champions! Take it away, boys. #HWC2023 #HockeyWorldCup #HockeyWorldCup2023 #HockeyComesHome #OdishaForHockey pic.twitter.com/Yrd9VzIOCA
— Odisha Sports (@sports_odisha) January 29, 2023