ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ଭାରତ

ଲକ୍ଷ୍ନୌ: ଭାରତ ୬ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଶୃଙ୍ଖଳାରେ ଉଜ୍ଜୀବିତ ରହିଛି। ଲକ୍ଷ୍ନୌରେ  ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ଧାର୍ଯ୍ୟ କରିଥିବା ୧୦୦ ରନ୍‌ର ଲକ୍ଷ୍ୟକୁ ଭାରତ ୧୯.୫ ଓଭରରେ ହାସଲ କରିଥିଲା।

ଏହି ବିଜୟ ପରେ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ରହିଛି। ଅହମଦାବାଦରେ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍‌ ଫେବ୍ରୁଆରି ୧ ତାରିଖ ଦିନ ଖେଳାଯିବ। ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା  ଅଧିନାୟକ ମିଚେଲ ସାଣ୍ଟନର ଅଧିକ ରନ୍‌ (୧୯) ସଂଗ୍ରହ କରିଥିଲା ବେଳେ ଅତିରିକ୍ତ ଭାବେ ମିଳିଥିବା ୧୦ ରନ୍‌ ସହାୟତାରେ ଦଳ ୯୯/୮ରେ ପାଳି ସମାପ୍ତ କରିଥିଲା। ୧୦୦ ରନ୍‌କୁ ପିଛା କରିବାକୁ ଯାଇ ଭାରତ ମଧ୍ୟ ସମଦଶା ଭୋଗିଥିଲା। ପିଚ୍‌ରୁ ବ୍ୟାଟରଙ୍କ ପାଇଁ କୌଣସି ସହାୟତା ନଥିବାରୁ ଭାରତୀୟ ଖେଳାଳିମାନେ ୧-୨ ରନ୍‌ ଉପରେ ଅଧିକ ନିର୍ଭର କରିଥିଲେ। ତେବେ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଡ଼ି ୩୧ ରନ୍ ସଂଗ୍ରହ କରି ଗୋଟିଏ ବଲ୍‌ ପୂର୍ବରୁ ଭାରତକୁ ଜିତାଇଥିଲେ। ଲକ୍ଷ୍ନୌ ପିଚ୍‌ରୁ ଉଭୟ ପାଳିରେ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା ବେଳେ ୧୪ଟି ଚୌକା ମରାଯାଇଥିଲା। ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।