ଶ୍ରୀଲଙ୍କା ବିପକ୍ଷରେ ନୂଆ ମାଇଲଖୁଣ୍ଟ ଅପେକ୍ଷାରେ ବିରାଟ : ଟାର୍ଗେଟରେ ଗାଙ୍ଗୁଲି-ସେହ୍ଵାଗଙ୍କ ରେକର୍ଡ
ମେଟ୍ରୋ ଟିଭି ଓଡିଶା (୩ .୩ .୨୦୨୨) :
ଆସନ୍ତା ୪ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ହେବ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ । ପୂର୍ବରୁ ମାତ୍ର ୧୧ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି ।ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଦମଦାର ରହିଛି। କୋହଲି ଘରୋଇ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟେଷ୍ଟ ଖେଳିଛନ୍ତି। ସେଥିରେ ୧୫୨.୫୦ ହାରରେ ୩ ଶତକ ଏବଂ ଏକ ଅର୍ଦ୍ଧଶତକ ଜରିଆରେ ୬୧୦ ରନ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଘରୋଇ ମାଟିରେ ସର୍ବାଧିକ ରନର ରେକର୍ଡ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି। ଦ୍ରାବିଡ ୮ଟି ମ୍ୟାଚରେ ୮୪୬ ରନ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷ କୋହଲି ମୋଟ୍ ୯ଟି ମ୍ୟାଚରେ ୭୭.୨୩ ହାରରେ ୧୦୦୪ ରନ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦ୍ଵାରା ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନଙ୍କ ତାଲିକାରେ ସେ ଷଷ୍ଠ ସ୍ଥାନରେ ଅଛନ୍ତି। କୋହଲିଙ୍କ ଉପରେ ଗାଙ୍ଗୁଲି( ୧୦୬୪), ଆଝାରୁଦ୍ଦୀନ(୧୨୧୫), ସେହ୍ଵାଗ(୧୨୩୯), ଦ୍ରାବିଡ(୧୫୦୮) ଏବଂ ସଚିନ ତେନ୍ଦୁଲକର(୧୯୯୫) ରହିଛନ୍ତି। ଯଦି କୋହଲି ଏହି ସିରିଜରେ ୬୧ ରନ କରନ୍ତି, ତେବେ ସେ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ। ୨୩୫ ରନ କଲେ କୋହଲି ଆଝାରୁଦ୍ଦୀନ ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କୁ ପଛରେ ପକାଇ ଦେବେ।