ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି – ଶୁଟର ମନୁ ଭାକର

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ଖାତା ଖୋଲିଛନ୍ତି ଶୁଟର ମନୁ ଭାକର। ହରିୟାଣାର ଝାଝରରେ ଜନ୍ମିତ ୨୨ ବର୍ଷୀୟା ମନୁ ଫ୍ରାନ୍ସର ଚାଟାରକ୍ସରେ ଜିତିଛନ୍ତି ଐତିହାସିକ ବ୍ରୋଞ୍ଜ ପଦକ। ନିଜର ଏହି ସଫଳତାର ଶ୍ରେୟ ସେ ଶ୍ରୀମଦ ଭଗବଦ୍‌ ଗୀତାକୁ ଦେଇଛନ୍ତି। ଟୋକିଓ ବିଫଳତା ପରେ ସେ ନିୟମିତ ଗୀତା ପଢିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ମନୁ। ଏହି ଘଟଣା ପରେ ସେ ଧର୍ମ ଆଡକୁ ଆକର୍ଷିତ ହୋଇଥିଲେ। ନିୟମିତ ଗୀତା ପଢିବା ତାଙ୍କୁ ମାନସିକ ଭାବରେ ଦୃଢ କରିଥିଲା। ଗୀତାର ଶ୍ଳୋକ କର୍ମ କରିଚାଲ ଫଳକୁ ଆଶା ରଖ ନାହିଁ, ଏହାକୁ ହିଁ ସେ ସର୍ବଦା ମନରେ ରଖିଥିଲେ ବୋଲି ମଧ୍ୟ କହିଛନ୍ତି।

ଏହା ସହିତ ଭେଟେରାନ୍‌ ଶୁଟର ତଥା କୋଚ୍‌ ଯଶପାଲ ରାଣାଙ୍କ ଉପସ୍ଥିତି ତାଙ୍କ ମନୋବଳକୁ ଆହୁରି ଦୃଢ କରିଥିଲା ବୋଲି ମଧ୍ୟ ସେ କହିଛନ୍ତି। ବିଶ୍ୱକପ୍‌, ୟୁଥ୍‌ ଅଲିମ୍ପିକ୍ସ, ରାଜ୍ୟ ଗୋଷ୍ଠୀ କ୍ରୀଡା, ଏସିଆନ୍‌ ଗେମ୍ସ ଭଳି ଇଭେଣ୍ଟରେ ଏକାଧିକପଦକ ଜିତି ସାରିଥିବା ମନୁ ଶେଷରେ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୧ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି ଏହି ଯୁବ ଖେଳାଳି। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସାମିଲ ରହିଛି। ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ବୈଷୟିକ ତ୍ରୁଟି କାରଣରୁ ପଦକ ଜିତି ପାରି ନ ଥିଲେ। ତେବେ ଏହା ତାଙ୍କର ମନୋବଳକୁ ଭାଙ୍ଗି ପାରି ନ ଥିଲା। ଦୃଢ଼ ଭାବରେ ପ୍ରତ୍ୟାବର୍ତ୍ତନ କରି ୩ ବର୍ଷରେ ନୂଆ ଇତିହାସ ଲେଖିଛନ୍ତି ମନୁ।