ପ୍ୟାରିସ ଅଲିମ୍ପିକ୍ସ : ପୁରୁଷ ହକିରେ ସେମିଫାଇନାଲକୁ ଗଲା ଭାରତ

ସୁପରସଣ୍ଡେରେ ଭାରତୀୟ ହକି ଟିମର ସୁପର ସୋ’। ରୋମାଞ୍ଚକର ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ସୁଟଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସେମିଫାଇନାଲରେ ପହଞ୍ଚିଛି ଭାରତ । ୬୦ ମିନିଟରେ ସ୍ଥିତି ୧-୧ରେ ବରାବର ରହିବାରୁ ପେନାଲ୍ଟି ସୁଟଆଉଟର ସାହାରା ନିଆଯାଇଥିଲା । ସୁଟଆଉଟରେ ଭାରତ, ବ୍ରିଟେନକୁ ୪-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏହାସହ ଭାରତ ପାଇଁ ପଦକ ଆଶା ବି ବଢିଛି ।ପ୍ୟାରିସରେ ଚମକିଲା ଟିମ୍ ଇଣ୍ଡିଆ। ସୁପର ସଣ୍ଡେରେ ଦେଖିବାକୁ ମିଳିଲା ସୁପରହିଟ୍ ମୁକାବିଲା। ରବିବାର ରାଜ କୁମାର ପାଲଙ୍କ ପାଦ ଯେତିକି ଆଗକୁ ବଢୁଥିଲା, ହକି ପ୍ରେମୀଙ୍କ ହାର୍ଟବିଟ୍ ସେତିକି ଅଧିକ ବଢୁଥିଲା। ବ୍ରିଟେନର ଗୋଲକିପରଙ୍କୁ ମାତ୍ ଦେଇ ଗୋଲପୋଷ୍ଟରେ ଯେତେବେଳେ ରାଜ କୁମାରଙ୍କ ବଲ ପହଞ୍ଚିଥିଲା ସେତେବେଳେ ଝୁମି ଉଠିଥିଲା ପୂରା ଷ୍ଟାଡିୟମ। ଆଉ ୭୩୩୦ କିଲୋମିଟର ଦୂର ଭାରତରେ ମଧ୍ୟ ଆରମ୍ଭ ହୋଇଥିଲା ସେଲିବ୍ରେସନ। ଶକ୍ତିଶାଳୀ ବ୍ରିଟେନକୁ ସୁଟଆଉଟରେ ୪-୨ ଗୋଲରେ ହରାଇ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପହଞ୍ଚିଥିଲା ହରମନପ୍ରୀତ ବାହିନୀ। ଏହାସହ ଭାରତ ପାଇଁ ଅଲିମ୍ପିକ୍ସରେ ବଢିଛି ପଦକ ଆଶା।