ଭାରତର ରେକର୍ଡ ରନ ବର୍ଷା । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଭାରତ । ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା ।
ଭାରତ ଏକମାତ୍ର ବ୍ୟାଟର ଭାବେ ଆଜି ଅଭିଷେକ ଶର୍ମା(୧୮ ବଲରେ ୩୬)ଙ୍କୁ ହରାଇଥିଲା। ସେ ୪ଟି ଛକା ମାରିଥିବା ବେଳେ ସାମସନ ଓ ତିଲକ ୧୯ଟି ଛକା ମାରିଛନ୍ତି। ଟି-୨୦ର ଟପ ୧୦ ଭିତରେ ଥିବା କୌଣସି ଦଳ ଗୋଟିଏ ମ୍ୟାଚ୍ରେ ୨୩ଟି ଛକା ମାରିବା ଏକ ରେକର୍ଡ। ସେହିପରି ଦକ୍ଷିଣ ଆଫ୍ରିକାରେ କୌଣସି ଟି-୨୦ରେ ୨୮୩ ରନ କରିବା ମଧ୍ୟ ସର୍ବାଧିକ। ଗୋଟିଏ ଟି-୨୦ରେ ଦୁଇ ଜଣ ବ୍ୟାଟର ଶତକ ହାସଲ କରିବା ମଧ୍ୟ ପ୍ରଥମ ଘଟଣା।
ଏହାପରେ ସେ ନିଜର ବିସ୍ଫୋରକ ରୂପ ଦେଖାଇ ୧୮ ବଲରେ ୩୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି। ଭାରତ ୫.୫ ଓଭରରେ ୭୩ ରନ କରିଥିବା ବେଳେ ଅଭିଷେକ ଆଉଟ ହୋଇଥିଲେ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ତୃତୀୟ ମ୍ୟାଚ୍ର ଶତକଧାରୀ ତିଲକ ବର୍ମା। ସେ ଆରମ୍ଭରୁ ୪ ନମ୍ବର ଗିୟରରେ ବ୍ୟାଟିଂ କରିଥିଲେ। ସାମସନ ମଧ୍ୟ ପଛରେ ପଡ଼ି ନଥିଲେ। ସାମସନ ୨୮ ବଲରେ ୫୦ ଅର୍ଦ୍ଧଶତକ ହାସଲ କରିବା ପରେ ରନ ହାରର ଆହୁରି ବଢ଼ାଇ ଦେଇଥିଲେ। ତିଲକ ମଧ୍ୟ ୨୨ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ କେବଳ ଛକାରେ କଥାବାର୍ତ୍ତା କରିଥିଲେ। ଏଥିସହ ୬୪ ବଲରେ ଭାଗିଦାରୀ ୧୫୦ ରନ ଛୁଇଁଥିଲା।
୧୬ ଓଭର ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୨୩୦ ରନ କରି ନେଇଥିଲା। ସାମସନ ୯୨ ଓ ତିଳକ ୮୭ ରନ କରି ନେଇଥିଲେ। ଇଂନିସରେ ଭାରତ ୨୧ଟି ଛକା ମାରି ସାରିଥିଲା। ୧୭ତମ ଓଭର ନେଇ ଆସିଥିଲେ ସିମିଲାନେ। ପ୍ରଥମ ବଲରେ ସେ ୧ ରନ ଦେଇଥିଲେ। କିନ୍ତୁ ଦ୍ୱିତୀୟ ବଲରେ ତିଲକ ଚୌକା ମାରି ବ୍ୟକ୍ତିଗତ ୯୧ ରନରେ ପହଞ୍ଚି ଯାଇଥିଲେ। ତୃତୀୟ ବଲରୁ ୨ ରନ ମିଳିଥିଲା। ୪ର୍ଥ ବଲ ପୁଣି ୧ ରନ ହୋଇଥିଲା। ୫ମ ବଲରେ ସାମସନ ୧ ରନ ନେଇଥିଲେ। ଶେଷ ବଲରେ ୧ ରନ ହେବାରୁ ଭାରତ ମୋଟ ୧୦ ରନ ପାଇଥିଲା।
ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮/୧୦ କରିଥିଲା । ତ୍ରିଷ୍ଟନ୍ ଷ୍ଟବ୍ସ-୪୩ ରନ, ଡେଭିଡ୍ ମିଲର୍-୩୬ ରନ୍, ମାର୍କୋ ୟାନସେନ୍-୨୯ ରନ କରିଥିଲେ । ଅର୍ଶଦୀପ ସିଂହ-୩ଟି , ଅକ୍ଷର ପଟେଲ୍-୨ଟି , ବରୁଣ ଚକ୍ରବର୍ତ୍ତୀ-୨ଟି, ହାର୍ଦିକ ପାଣ୍ଡ୍ୟା-୧, ରବି ବିଷ୍ଣୋଇ-୧, ରମଣଦୀପ ସିଂହ-୧ ଉଇକେଟ ପାଇଥିଲେ ।