ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ବିଜୟ: ଅର୍ଶଦୀପ, ଆଭେସ ଦକ୍ଷିଣ ଆଫ୍ରିକାକୁ ହରାଇଲେ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା  ମାତ୍ର ୧୧୬ ରନ୍‌ରେ ଧରାଶାୟୀ ହୋଇଯାଇଥିଲା।  ମ୍ୟାଚ୍‌ର ଦ୍ବିତୀୟ ଓଭରରେ ନିଜ ପ୍ରଥମ ଓଭରରେ ଅର୍ଶଦୀପ ଲଗାତାର ବଲ୍‌ରେ ୨ ୱିକେଟ୍‌ ଦଖଲ କରି ଅଭିଯାନ ଆରମ୍ଭ କରିଥିଲେ। ରିଜା ହେଣ୍ଡ୍ରିକ୍ସ ଓ ରାଶି ଭାନ୍ ଡର୍ ଡସେନ୍‌ଙ୍କୁ ପ୍ୟାଭିଲିଅନ୍ ପଠାଇଥିବା ବେଳେ ପାୱାର ପ୍ଲେ ୧୦ ଓଭର ଭିତରେ ମଧ୍ୟ ଆଉ ଦୁଇ ୱିକେଟ୍  ବାହାର କରି ନେଇଥିଲେ। ଅର୍ଶଦୀପଙ୍କ ସୁଇଙ୍ଗ ଭରା ସ୍ପେଲ୍‌ କାରଣରୁ ଚାପରେ ଥିବା ଦକ୍ଷିଣ ଆଫ୍ରିକାକୁ ଅଧିକ ଅଡ଼ୁଆରେ ପକାଇଥିଲେ ଆଭେସ ଖାନ୍। ପ୍ରଥମ ୪ ୱିକେଟ୍‌ ଅଶର୍ଦୀପ ଦଖଲ କରିବା ପରେ ପରବର୍ତ୍ତୀ ୪ ୱିକେଟ୍‌କୁ ଆୱେସ ଅର୍ଜନ କରି ଦକ୍ଷିଣ ଆଫ୍ରିକା ପାଳିକୁ ସଂଘର୍ଷ ପାଇଁ ବାଧ୍ୟ କରିଥିଲେ। ଦ୍ବିତୀୟ ସ୍ପେଲ୍‌ରେ ଅନ୍ଦିଲ ଫେଲୁକ୍ବା‌ୟୋଙ୍କୁ ଏଲବିଡବ୍ଲ୍ୟୁ କରି ଅର୍ଶଦୀପ ନିଜ ପ୍ରଥମ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଆଭେସ ଖାନ୍ ମଧ୍ୟ ନିଜ ଦିନିକିଆ ଖେଳ ଜୀବନରେ ପ୍ରଥମ ଥର ୪ ୱିକେଟ୍ ସଫଳତା ପାଇଥିଲେ। ଫଳରେ ଭାରତ ୮ ୱିକେଟ୍‌ରେ ସହଜ ବିଜୟ ସହ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡରସ୍‌ ଷ୍ଟାଡିୟମରେ ଘରୋଇ ଦଳ ବିପକ୍ଷରେ ଭାରତୀୟ ବୋଲର ଓ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ୧୧୭ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୧୬.୪ ଓଭରରେ ୨ଟି ୱିକେଟ ହରାଇ ପୂରା କରିଛି।