ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି । ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପି କ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି। ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଭାରତୀୟ ହକି ଟିମ ସ୍ପେନକୁ ରୋମାଞ୍ଚକର ଢଙ୍ଗରେ ୨-୧ରେ ହରାଇ ନିଜର ଦମ ଦେଖାଇଛି। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ସ୍ପେନ ଆଜିର ମ୍ୟାଚ୍‌ରେ ଆଗୁଆ ରହିଥିଲେ ହେଁ ଶେଷରେ ବିନା ପଦକରେ ପ୍ୟାରିସରୁ ବିଦାୟ ନେଇଛି। ଭାରତ ଏହି ବିଜୟ ସହ ଭେଟରାନ ଗୋଲକିପର ପିଆର ଶ୍ରୀଜେଶଙ୍କୁ ବିଦାୟ ଜଣାଇଛି। ପିଆର ଶ୍ରୀଜେଶ ଅଲିମ୍ପିକ୍ସ ପରେ ବିଦାୟ ନେବେ ବୋଲି ଘୋଷଣା କରିଥିଲେ। ଏବେ ସେ ଅଲିମ୍ପିକ୍ସ ପଦକ ସହ ନିଜର ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।