ପ୍ୟାରିସ୍‌ ଅଲିମ୍ପିକ୍ସ: କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ହକି ଦଳ

ଭାରତୀୟ ହକି ଦଳ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ ଗ୍ରୁପ୍‌ ବି’ ମ୍ୟାଚ୍‌ରେ ମଙ୍ଗଳବାର ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ହରାଇବା ଏବଂ ଏହି ଗ୍ରୁପ୍‌ରେ ଆର୍ଜେଣ୍ଟିନାଠାରୁ ନ୍ୟୁଜିଲାଣ୍ଡ ହାରିବା ହର୍ମନପ୍ରୀତ ସିଂହଙ୍କ ଦଳର କ୍ବାର୍ଟରଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିଛି। ଭାରତ ଦୁଇଟି ବିଜୟ ଓ ଗୋଟିଏ ଡ୍ର’ ବଳରେ ୭ ପଏଣ୍ଟ ଅର୍ଜନ କରି ଶୀର୍ଷ ୪ ଦଳ ମଧ୍ୟରେ ରହିଛି। ହେଲେ ଗ୍ରୁପ୍‌ ଟପ୍ପର୍‌ ହେବାଲାଗି ଭାରତକୁ ନିଜ ପରବର୍ତ୍ତୀ ଦୁଇ ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଗୋଟିଏ ଦିନ ବିଶ୍ରାମ ପରେ ଭାରତ ପରବର୍ତ୍ତୀ ମ୍ୟାଚ୍‌ ଗୁରୁବାର ଅଲିମ୍ପିକ୍ସ ବିଜେତା ବେଲ୍‌ଜିୟମ୍‌ ସହ ଏବଂ ଶୁକ୍ରବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ।ପ୍ରଥମ ମ୍ୟାଚ୍‌ରେ ବିଶ୍ବର ୧୦ ନମ୍ବର ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତ ଦ୍ବିତୀୟରେ ୭ ନମ୍ବର ଆର୍ଜେଣ୍ଟିନା ସହ ପଏଣ୍ଟ୍‌ ବାଣ୍ଟିଥିଲା। ବିଶ୍ବର ଏହି ୫ ନମ୍ବର ଦଳ ମଙ୍ଗଳବାର ୧୧ ନମ୍ବର ଆୟର୍ଲାଣ୍ଡ ଉପରେ ଭାରି ପଡ଼ିଥିଲା। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ ମଧ୍ୟରେ ଭାରତ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ହେଲେ ହର୍ମନପ୍ରୀତ ଏହାକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇ ନଥିଲେ ମଧ୍ୟ ଆୟର୍ଲାଣ୍ଡକୁ ଚାପରେ ରଖିଥିଲେ। ତେବେ ଏକାଦଶ ମିନିଟ୍‌ରେ ଭାରତ ପ୍ରଥମ ଗୋଲ୍‌ ଦେଇ ଅଗ୍ରଣୀ ନେଇଥିଲା। ମିଡ୍‌ଫିଲ୍ଡରଙ୍କଠୁ ବଲ୍‌ ନେଇ ଗୁରାଜାଣ୍ଟ ସିଂହ କାଉଣ୍ଟର ଆଟାକ୍‌ କ‌ରିଥିଲେ ଏବଂ ତାଙ୍କ ସହ ମନ୍‌ଦୀପ୍‌ ସିଂହ ମିଶି ଆୟର୍ଲାଣ୍ଡର ଡି’ ସର୍କଲରେ ପ୍ରବେଶ କରିଥିଲେ। ଏହି ସମୟରେ ଆୟର୍ଲାଣ୍ଡ ଡିଫେଣ୍ଡର ଫାଉଲ୍‌ ମାରିବାରୁ ଭାରତକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ହର୍ମନପ୍ରୀତ ସଫଳତା ସହ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରଥମ କ୍ବାର୍ଟରରେ ଆଗରେ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ୧୯ତମ ମିନିଟ୍‌ରେ ଦଳକୁ ମିଳିଥିବା ଲଗାତାର ପେନାଲ୍ଟି କର୍ଣ୍ଣରକୁ ହର୍ମନପ୍ରୀତ ପୁଣି ଥରେ ସଫଳତାର ସହ ଗୋଲ୍‌ରେ ପରିଣତ କରି ଭାରତକୁ ୨-୦ରେ ଅଗ୍ରଣୀ ଦେଇଥିଲେ।