ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ
ଲକ୍ଷ୍ନୌ : ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଭାରତ । ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୨୩୦ ରନର ଲକ୍ଷ୍ୟ ରଖିଥିଲା ଭାରତ । ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ । କେବଳ ଲିଆମ ଲିଭିଙ୍ଗଷ୍ଟୋନ ସର୍ବାଧିକ ୨୭ ରନ କରିଥିବାବେଳେ ଆଉ କେହି ୨୦ରନ ଟପିପାରିନଥିଲେ । ଗତ ଥର ଚାମ୍ପିଆନ ହୋଇଥିବା ଇଂଲଣ୍ଡ ଚଳିତ ବିଶ୍ବକପରେ କ୍ରମାଗତ ପରାଜିତ ହୋଇ ଏବେ ପଏଣ୍ଟ ଟେବୁଲର ତଳେ ରହିଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ତିନିଜଣ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ୯ ରନ, କୋହଲି ୦ ଓ ଆୟର ୪ ରନ କରି ଆଉଟ ହୋଇଥିଲେ । ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରୋହିତ ୮୭ ରନ କରି ଆଉଟ ହେବାସହ ଶତକରୁ ବଞ୍ଚିତ ହୋଇଥିବାବେଳେ ସୂର୍ଯ୍ୟ ୪୯ ରନ କରି ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ କରିଥିଲା । ଭାରତ ୬ଟି ମ୍ୟାଚରେ ବିଜୟ ସହ ୧୨ ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଏହା ସହିତ ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।