ବୋଲିଂ ବାହିନୀର ମିଳିତ ଆକ୍ରମଣରେ ବାଂଲାଦେଶ ହେଲା ଘାଇଲା: ହାର୍ଦ୍ଦିକ, ସୂର୍ଯ୍ୟଙ୍କ କମାଲ
ଗ୍ବାଲିୟର୍: ବୋଲିଂ ବାହିନୀ ଦେଲେ ବିଜୟ । ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ର ବଡ଼ ବିଜୟ ପାଇଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ବିସ୍ମୟ ସ୍ପିନର ତଥା ୩ ବର୍ଷର ଲମ୍ବା ଅପେକ୍ଷା ପରେ ଜାତୀୟ ଦଳକୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୂହ ବାହାରକୁ ଆସି ନପାରି ବାଂଲାଦେଶ ୧୯.୫ ଓଭରରେ ମାତ୍ର ୧୨୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପଦାର୍ପଣର ପ୍ରଥମ ଓଭରରେ ମେଡେନ୍ ଓ ଦ୍ବିତୀୟ ଓଭରରେ ୱିକେଟ୍ (ମହମ୍ମଦୁଲ୍ଲା) ନେଇଥିବା ମୟଙ୍କ ୟାଦବ ଚର୍ଚ୍ଚାରେ ରହିଥିଲେ।ଜବାବରେ ଭାରତର ଦୁଇ ଓପନର ସଂଜୁ ସାମସନ ଓ ଅଭିଷେକ ଶର୍ମା ଧମାକାଦାର ଆରମ୍ଭ କରିଥିଲେ। ୨୦୦ରୁ ଅଧିକ ହାରରେ ରନ୍ କରୁଥିବା ଅଭିଷେକ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଓ ସଂଜୁ ୨୯ ରନ୍ ଲେଖାଏଁ କରି ଦଳକୁ ବିଜୟର ନିକଟତର କରିଥିଲେ। ଅନ୍ୟତମ ପଦାର୍ପଣକାରୀ ନୀତୀଶ କୁମାର ଏବଂ ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଚତୁର୍ଥ ୱିକେଟ୍ରେ ଦ୍ରୁତ ୫୨ ରନ୍ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ। ହାର୍ଦିକ ନିଜ ଶ୍ରେଷ୍ଠ ଫର୍ମର ବଳିଷ୍ଠ ନମୁନା ଦେଖାଇ ମାତ୍ର ୧୬ ବଲ୍ରୁ ୩୯* ରନ୍ କରି ଭାରତକୁ ୮.୧ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ଅନଭିଜ୍ଞ ନୀତୀଶ ମଧ୍ୟ ପରିପକ୍ବ ପାଳି ଖେଳି ୧୫ ବଲ୍ରୁ ୧୬ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପ୍ରାରମ୍ଭିକ ଯୋଡ଼ିଙ୍କ ସହ ୩ ୱିକେଟ୍ ଦଖଲ କରିଥିବା ଅର୍ଶଦୀପ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।