ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ
ମୁମ୍ବାଇ: ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ । ନ୍ୟୁଜିଲାଣ୍ଡ୍କୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ। ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ୧୯୮୩, ୨୦୦୩, ୨୦୧୧ରେ ଭାରତ ଫାଇନାଲ୍ ଖେଳିଥିଲା। ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଭାରତକୁ ବିଜୟ ଦେଇଛି । ଶର୍ମାଙ୍କ ସେନା ରୋମଞ୍ଚଭରା ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ୭୦ ରନ୍ରେ ପରାସ୍ତ କରିଦେବାରୁ ରବିବାର ଅହମଦାବାଦରେ ଖେଳାଯିବାକୁ ଥିବା ଫାଇନାଲ୍ ଲାଗି ଟିକଟ ଅର୍ଜନ କରିଛି। ଭାରତର କ୍ରମାଗତ ବିଜୟ ଧାରା ମଧ୍ୟ ଚଳିତ ସଂସ୍କରଣରେ ୧୦-୦ରେ ପହଞ୍ଚିଯାଇଛି। ରୋହିତ ଶର୍ମା ଟସ୍ ଜିତି ବିସ୍ଫୋରକ ପାଳି ଖେଳିବା ପରେ ବିରାଟ କୋହଲି ୧୧୩ ବଲ୍ରୁ ୧୧୭ ରନ୍ଙ୍କ ବିଶ୍ବ ରେକର୍ଡ ୫୦ତମ ଶତକ ଏବଂ ଶ୍ରେୟସ ଆୟର ୭୦ ବଲ୍ରୁ ୧୦୫ ରନ୍ଙ୍କ ଲଗାତାର ଶତକ ବଳରେ ଭାରତ ୩୯୭ ରନ୍ର ବିଶାଳ ସ୍କୋର୍ କରିଥିଲା। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟିମ୍ ସାଉଦି ସର୍ବାଧିକ ୩ ୱିକେଟ୍ ନେଇଥିଲେ ମଧ୍ୟ ୧୦୦ ରନ୍ ବ୍ୟୟ କରି ଅଲୋଡ଼ା ରେକର୍ଡ ଅର୍ଜନ କରିଥିଲେ। ଭାରତର ୩୯୭/୪ ସ୍କୋର୍ ମଧ୍ୟ ବିଶ୍ବକପ୍ ନକ୍ ଆଉଟ୍ ମୁକାବିଲାରେ ସର୍ବୋଚ୍ଚ ସ୍କୋର୍ ।୩୯୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ୍ ପ୍ରଥମରୁ ୨ ୱିକେଟ୍ ହରାଇଥିଲା। ଡାରିଲ୍ ମିଚେଲ୍ ଓ କେନ୍ ୱିଲିୟମସନ୍ ତୃତୀୟ ୱିକେଟ୍ ପାଇଁ ୧୮୧ ରନ୍ ଯୋଡ଼ି ୱାଙ୍ଖ୍ଡେ ଦର୍ଶକଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଶାନ୍ତ କରି ଦେଇଥିଲେ। ମହମ୍ମଦ ସାମିଙ୍କ ଦ୍ବିତୀୟ ସ୍ପେଲ୍ ପୁଣି ନ୍ୟୁଜିଲାଣ୍ଡ୍ ପାଳିକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲା। ପ୍ରାରମ୍ଭିକ ଯୋଡ଼ି ଡେଭନ୍ କନୱେ- ରାଚିନ ରବୀନ୍ଦ୍ରଙ୍କ ପରେ ଡାରିଲ୍ ମିଚେଲ୍ (୧୩୪) ଓ କେନ୍ ୱିଲିୟମସନ୍ (୬୯)ଙ୍କୁ ମଧ୍ୟ ସାମି ଶିକାର କରିଥିଲେ। ନିମ୍ନକ୍ରମରେ ମଧ୍ୟ ସାମିଙ୍କ ୱିକେଟ୍ ଶିକାର ଜାରି ରହିଥିଲା। ଶେଷକୁ ୯.୫-୦-୫୭-୭ ଚମତ୍କାର ବୋଲିଂ ଚିତ୍ର ସହ ସାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଚଳିତ ବିଶ୍ବକପ୍ରେ ସାମିଙ୍କର ଏହା ତୃତୀୟ ୫ ୱିକେଟ୍ ସଫଳତା ହୋଇଥିବା ବେଳେ ମୋଟ ୨୩ ୱିକେଟ୍ ନେଇ ସେ ଶୀର୍ଷକୁ ଉଠିଛନ୍ତି।