ଟ୍ବେଣ୍ଟି-୨୦ ବିଶ୍ବକପ୍‌ : ଆଜି ଭାରତ-ଆଫଗାନିସ୍ତାନ

ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ଅଭିଯାନ ଆରମ୍ଭ କରୁଛି। ଟିମ୍ ଇଣ୍ଡିଆର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ହେଉଛି ଆତ୍ମବିଶ୍ବାସଭରା ଆଫଗାନିସ୍ତାନ। ତେବେ ସୁପର-୮ର ସୁପର ଫାଇଟ୍‌ରେ ଗୁରୁବାର ଗୋଟିଏ ନୁହେଁ, ଦୁଇଟି ମ୍ୟାଚ୍ ଖେଳାଯାଉଛି। ଭାରତୀୟ ସମୟ ସକାଳ ୬ଟାରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ଓ ଗତଥର ବିଜେତା ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। କ୍ରିକେଟ୍‌ପ୍ରେମୀଙ୍କ ସବୁ ନଜର କିନ୍ତୁ ରାତି ୮ଟାରେ ଖେଳାଯିବାକୁ ଥିବା ଭାରତ ଓ ଆଫଗାନିସ୍ତାନ ମୁକାବିଲା ଉପରେ ରହିଛି। ଏହି ପ୍ରତୀକ୍ଷିତ ଟକ୍କର ବ୍ରିଜଟାଉନ୍‌ର କେନିଙ୍ଗଟନ୍ ଓଭାଲଠାରେ ହେବ। ସେଥିପାଇଁ ଭାରତ ସହ ବାର୍ବାଡସ୍‌‌ରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମଧ୍ୟ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଦଳୀୟ ସନ୍ତୁଳନ, ପୂର୍ବ ପରିସଂଖ୍ୟାନ ତଥା ଖେଳାଳିଙ୍କ ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚ୍‌ରେ ବେଶ୍ ଭାରୀ ରହିବ। ତେବେ ଆଫଗାନିସ୍ତାନ ଦଳରେ ଅନେକ ପ୍ରତିଭାସଂପନ୍ନ, ଦକ୍ଷ ତଥା ଅଭିଜ୍ଞ ଖେଳାଳି ଥିବାରୁ ଏହି ଦଳ ମଧ୍ୟ ଆଉ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।