ପାକିସ୍ତାନକୁ ହରାଇଲା ପୁଣି ଭାରତ ମହିଳା ଦଳ

କ୍ରିକେଟ୍ ପଡ଼ିଆରେ ଭାରତର ଅପରେସନ୍ ସିନ୍ଦୂର ଜାରି ରହିଛି। ଆଉ ଏକ ରବିବାର ଏବଂ ପାକିସ୍ତାନ ଆଉ ଥରେ ଧୂଳି ଚାଟିଛି। ପୁରୁଷ ଦଳ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଏସିଆ କପ୍ ଜିତିବାର ମାତ୍ର ଗୋଟିଏ ସପ୍ତାହ ପରେ ଭାରତୀୟ ମହିଳା ଦଳ ମଧ୍ୟ ପାକିସ୍ତାନକୁ ପଡ଼ିଆ ଭିତରେ ଚିତ୍ କରିଛି। ଚଳିତ ଏକଦିବସୀୟ ବିଶ୍ବକପ୍‌ର ଷଷ୍ଠ ମ୍ୟାଚ୍‌ରେ ଏହି ଦଳକୁ ଏକତରଫା ଭାବେ ୮୮ ରନ୍‌ରେ ହରାଇ ଦେଇ ନିଜ ଅପରାଜେୟ ଧାରାକୁ ଆହୁରି ଲମ୍ବିତ କରିଛି। ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ ଏବେ ୧୨ଟି ଦିନିକିଆ ଖେଳି ସବୁତକ ଜିତିବାର ଅନନ୍ୟ ତଥା ଐତିହାସିକ ସଫଳତା ହାସଲ କରିଛି।

ଏହି ବହୁ ପ୍ରତୀକ୍ଷିତ ଲଢେଇରେ ହର୍ମନପ୍ରୀତ୍ କୌରଙ୍କ ଲେଡି ବାହିନୀ ପାକିସ୍ତାନ ବିପକ୍ଷରେ ୨୪୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥି‌ଲା। ଏହା ପରେ ଭାରତୀୟ ବୋଲର ନିଜ ଦମ୍ ଦେଖାଇ ପାକିସ୍ତାନକୁ ମାତ୍ର ୧୫୯ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ଭାରତୀୟ ବୋଲର ଏମିତି ମାପଚୁପ ଓ ଶାଣିତ ବୋଲିଂ କରିଥିଲେ ଯେ ପାକିସ୍ତାନ ପାଳି ୭ ଓଭର ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା। ଅସହାୟ ପାକିସ୍ତାନର କେବଳ ତିନି ଜଣ ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ପାରିଥିଲେ। ଭାଗ୍ୟ ବଳରେ ଏକାଧିକ ଜୀବନଦାନ ପାଇ ୮୧ ରନ୍‌ର ପାଳି ଖେଳିଥିବା ସିଦ୍ରା ଅମିନ ଆଉଟ୍ ହେବା ପରେ ପାକିସ୍ତାନ ପାଳି ତାସ୍ ଘର ଭଳି ଭୁଶୁଡ଼ି ଯାଇଥିଲା। କ୍ରାନ୍ତି ଗୌଡ଼ (୩/୨୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକମାନେ ପୁଣି ଥରେ ନିଜ ଜାତୀୟ ଦଳର ଖେଳାଳିଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜ ଦଳକୁ ଭୀଷଣ ଟ୍ରୋଲ୍ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପ୍ରଶଂସକ ବେଶ୍ ଉଲ୍ଲସିତ ଥିଲା ବେଳେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଛି।
କୋହଲା ପାଗ, ଫ୍ଲଡ୍ ଲାଇଟ୍ ତଥା ବୋଲର୍‌ଙ୍କୁ ସୁହାଉଥିବା ପିଚ୍‌ରେ ଭାରତୀୟ ଶୀର୍ଷକ୍ରମ ବ୍ୟାଟର୍‌ମାନେ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲେ। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତର ୮ଜଣ ବ୍ୟାଟର୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର୍‌ରେ ରୂପାନ୍ତର କରିପାରି ନଥିଲେ। ତାରକା ବ୍ୟାଟର୍ ସ୍ମୃତି ମନ୍ଧାନା ଓ ପ୍ରତୀକା ରାୱଲ ପ୍ରଥମ ୱିକେଟ୍‌ରେ ୪୮ ରନ୍ ଯୋଡ଼ିଥିଲେ। ମନ୍ଧାନା କିନ୍ତୁ ପୁଣି ଥରେ ବିଫଳ ହୋଇ ୨୩ ରନ୍‌ରେ ଅଟକି ଯାଇଥିଲେ। ପ୍ରତୀକା ୩୧, ଅଧିନାୟିକା ହର୍ମନପ୍ରୀତ କୌର ୧୯ ଓ ଜେମିମା ରଡ୍ରିଗ୍ସ ୩୨ ରନ୍ ଆଗକୁ ବଢ଼ି ପାରି ନଥିଲେ। ହର୍ଲିନ ଦେଓଲ ୪୬ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଶେଷରେ ରିଚା ଘୋଷଙ୍କ (୩୫*, ୨୦ ବଲ୍‌, ୩ ଛକା, ୨ ଛକା) ବିସ୍ଫୋରକ ପାଳି ବଳରେ ଭାରତ ୨୪୭ ରନ୍‌ କରିଥିଲା। ଶେଷ ବଲ୍‌ରେ ‌ଶେଷ ୱିକେଟ୍ ହରାଇ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଅଲ୍‌ଆଉଟ୍ ହେବାର ଆଲୋଡ଼ା ରେକର୍ଡ କରିଥିଲା।

Leave a comment