ମହିଳା ଟେଷ୍ଟ୍ : ଇଂଲଣ୍ଡକୁ ୩୪୭ ରନ୍ରେ ହରାଇଲା ଭାରତ
IND vs ENG: India records biggest win in women’s Test history
ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ରେ ଭାରତ ୩୪୭ ରନ୍ରେ ବିଜୟ ହାସଲ କରିଛି। ଏଥି ସହିତ ଭାରତ ମଧ୍ୟ ମହିଳା ଟେଷ୍ଟ୍ କ୍ରିକେଟ୍ ଇତିହାସରେ ସର୍ବବୃହତ ରନ୍ ବ୍ୟବଧାନ ବିଜୟ ସହ ବିଶ୍ବ ରେକର୍ଡ କରିଛି। ଅଫସ୍ପିନର୍ ଦୀପ୍ତି ଶର୍ମା ଉଭୟ ପାଳିରୁ ୯ ୱିକେଟ୍ ଅକ୍ତିଆର କରି ଏହି ଐତିହାସିକ ବିଜୟରେ ମୁଖ୍ୟ ନାୟିକା ହୋଇଛନ୍ତି। ପ୍ରଥମ ପାଳିରେ ୧୩୬ ରନ୍ କରିଥବା ଇଂଲଣ୍ଡ ଖେଳାଳି ଦୀପ୍ତି ଓ ପୂଜାଙ୍କ ବୋଲିଂକୁ ଖେଳି ନପାରି ଦ୍ବିତୀୟ ପାଳିରେ ୧୩୧ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ଭାରତର ଏହା ୧୫ ଟେଷ୍ଟ୍ରୁ ପ୍ରଥମ ବିଜୟ। ଇଂଲଣ୍ଡ ମାଟିରେ କିନ୍ତୁ ଭାରତ ୨୦୧୪ ଗସ୍ତରେ ଦୁଇ ଥର ବିଜୟୀ ହୋଇଥିଲା। ଭାରତର ୩୪୭ ରନ୍ ବିଜୟ ମଧ୍ୟ ୨୮ ବର୍ଷ ଦଳର ରେକର୍ଡକୁ ପଛରେ ପକାଇଛି। ୧୯୯୮ ଏପ୍ରିଲ୍ରେ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ୩୦୯ ରନ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଇଂଲଣ୍ଡ ବିପକ୍ଷ ବିଜୟ ମଧ୍ୟ ଭାରତକୁ ଆସନ୍ତା ସପ୍ତାହର ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟ୍ ପୂର୍ବରୁ ଆତ୍ମବିଶ୍ବାସ ଦେଇଛି।
ଇଂଲଣ୍ଡ ୪୭୯ ରନ୍କୁ ପିଛା କରି ପ୍ରଥମ ଓଭରରେ ହିଁ ପୂଜା ବସ୍ତ୍ରକାର ପ୍ରାରମ୍ଭିକ ବ୍ୟାଟର୍ ସୋଫି ଡଙ୍କଲେଙ୍କୁ ଗଲି ଅଞ୍ଚଳରେ ଥିବା ବଦଳ ଖେଳାଳି ହର୍ଲିନ ଦେଓଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ପ୍ରଥମ ପାଳି ତାରକା ନାଟ୍ ଶ୍ଚିଭର ବ୍ରଣ୍ଟଙ୍କୁ ପ୍ରଥମ ବଲ୍ ଶୂନ ଅଭିଜ୍ଞତା ମଧ୍ୟ ଦେଇଥିଲେ ପୂଜା। ଏହା ପରେ ଇଂଲଣ୍ଡ ନିୟମିତ ୱିକେଟ୍ ହରାଇଥିବା ବେଳେ ଦୀପ୍ତି ଶର୍ମା ସର୍ବାଧିକ କ୍ଷତି ଘଟାଇଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଦୀପ୍ତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପ୍ରଥମେ ବ୍ୟଟିଂ କରିଥିବା ଭାରତ ପକ୍ଷରୁ ଶୁଭ ସତୀଶ-୬୯ ରନ୍ , ଜେମିମା ରଡ୍ରିଗ୍ବେଜ-୬୮, ଦୀପ୍ତି ଶର୍ମା-୬୭, ୟାସ୍ତିକା ଭାଟିଆ-୬୬, ହର୍ମନପ୍ରୀତ୍ କୌର୍-୪୯ ରନ କରିଥିଲେ। ଇଂଲଣ୍ଡ ପ୍ରଥମ ପାଳିରେ ୧୩୬ ରନ୍ କରିଥିଲା । ନାଟ୍ ଶ୍ଚିଭର ବ୍ରଣ୍ଟ୍-୫୯ ରନ କରିଥିଲେ । ଦୀପ୍ତି ଶର୍ମା-୫ ଉଇକେଟ ନେଇଥିଲେ । ଭାରତ ଦ୍ବିତୀୟ ପାଳିରେ ୧୮୬/୬ରେ ଘୋଷଣା କରିଥିଲା । ହର୍ମନପ୍ରୀତ୍ କୌର୍-୪୪ରନ୍ କରିଥିଲେ । ଚାର୍ଲୋଟ୍ ଡିନ୍-୪ ଉଇକେଟ ନେଇଥିଲେ । ଇଂଲଣ୍ଡ ଦ୍ବିତୀୟ ପାଳି: ୧୩୧ ରନ କରି ଅଲ ଆଉଟ ହୋଇଯାଇଥିଲା ।