ଭାରତ କୁ ହରାଇଲା ଇଂଲଣ୍ଡ । ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ ଇଂଲଣ୍ଡ । ୭ ଓ୍ବିକେଟରେ ଭାରତକୁ ପରାଜୟ କରିଛି । ୫ ଟିକିଆ ଟେଷ୍ଟ ୨-୨ରେ ବରାବର୍ ହୋଇଛି ।

ଦ୍ବିତୀୟ ଇନିଂସରେ ବିଜୟ ପାଇଁ ୩୭୮ ରନ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ଟିମ୍ ୭ ଓ୍ବିକେଟ ବାକିଥାଇ ମ୍ୟାଚ୍ କବଜା କରିନେଇଛି । ଜୋ ରୁଟ୍ ଏବଂ ଜନି ବୈୟାରିଷ୍ଟୋଙ୍କ ଅପରାଜିତ ଶତକ ବଳରେ ଦଳ ସହଜ ବିଜୟ ହାସଲ କରିଛି ।
ରୁଟ୍ ଏବଂ ବୈୟାରିଷ୍ଟୋ ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ମଧ୍ୟ ଦେଇନଥିଲେ । ରୁଟ୍ ବ୍ୟକ୍ତିଗତ ଭାବେ ୧୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୪୨ ରନ କରି ଅପରାଜିତ ଥିବା ବେଳେ ଜନି ବୈୟାରିଷ୍ଟୋ ୧୫ ଚୌକା ଏବଂ ଗୋଟିଏ ଛକା ସହ ୧୧୪ ରନ କରି ନଟଆଉଟ୍ ରହି ମ୍ୟାଚ ଜିତାଇଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ଏକମାତ୍ର ବୋଲର ଭାବେ ଦୁଇଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଅନ୍ୟ କୌଣସି ବୋଲର ଓ୍ବିକେଟ ନେବାରେ ସକ୍ଷମ ହୋଇନାହାନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଋଷଭ ପନ୍ତଙ୍କ ୧୪୬ରନ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଧମାକାଦାର ୧୦୪ ରନ ବଳରେ ୪୧୬ ରନ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜେମସ ଆଣ୍ଡରସନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିଲେ ।
ଜବାବଦରେ ପ୍ରଥମ ଇନିଂସରେ ଇଂଲଣ୍ଡ ୨୮୪ ରନରେ ହିଁ ସୀମିତ ରହିଥିଲା । ଦଳ ପକ୍ଷରୁ ଜନି ବୈୟାରିଷ୍ଟୋ ଏକମାତ୍ର ବ୍ୟାଟର୍ ଭାବେ ଶତକ (୧୦୬ରନ) କରିଥିଲେ । ଫଳରେ ଭାରତ ୧୩୨ ରନରେ ଆଗୁଆ ରହିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମରାହ ୩ଟି ଏବଂ ମହମ୍ମଦ ସାମୀ ୨ଟି ଓ୍ବିକେଟ ନେଇଥିଲେ । ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୨୪୫ ରନ କରିବାକୁ ସକ୍ଷମ ହୋଇଥିଲା । ଚେତେଶ୍ବର ପୁଜାରାଙ୍କ ୬୬ରନ ଏବଂ ପ୍ରଥମ ଇନିଂସ ହିରୋ ପନ୍ତଙ୍କ ୫୭ ରନ ବଳରେ ଇଂଲଣ୍ଡକୁ ୩୭୮ରନର ଟାର୍ଗେଟ୍ ଦେଇଥିଲା ଭାରତ । ଜବାବରେ ଇଂଲଣ୍ଡ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ଇଂଲଣ୍ଡ ।