ନେଦରଲାଣ୍ଡ୍‌ସ ବିପକ୍ଷରେ ଇଂଲଣ୍ଡ ୧୬୦ ରନ୍‌ରେ ବିଜୟୀ

ପୁଣେ:  ନେଦରଲାଣ୍ଡ୍‌ସକୁ ଇଂଲଣ୍ଡ ୧୬୦ ରନ୍‌ରେ ପରାସ୍ତ କରିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍‌ସ ୩୪୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳ ୩୭.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ରେ ଅଟକି ଯାଇଥିଲା। ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବେନ୍‌‌ ଷ୍ଟୋକ୍ସଙ୍କ ବିସ୍ଫୋରକ ଶତକ, ଡେଭିଡ ମଲାନ୍‌ ଓ କ୍ରିସ୍‌ ୱକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୩୩୯ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ବେନ୍‌ ଷ୍ଟୋକ୍ସ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୮୪ଟି ବଲ୍‌ ଖେଳି ୧୦୮ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ୬ଟି ଚୌକା ଓ ୬ଟି ଛକା ସାମିଲ ଥିଲା। କ୍ରିସ୍‌ ୱକ୍ସ ୪୫ଟି ବଲ୍‌ର ସାମ୍ନା କରିଥିଲେ। ଏଥିରୁ ସେ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୫୧ ରନ୍‌ ସଂଗ୍ରହ କରିଥିଲେ।

ଇଂଲଣ୍ଡର ପାଳି ଆରମ୍ଭ କରିଥିଲେ ଅଭିଜ୍ଞ ବ୍ୟାଟର ଜନି ବେୟାରଷ୍ଟୋ ଓ ଡେଭିଡ ମଲାନ୍‌। ବେୟାରଷ୍ଟୋ ୧୭ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ବ୍ୟକ୍ତିଗତ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ପଡ଼ିଆରୁ ବିଦାୟ ନେବା ବେଳକୁ ଇଂଲଣ୍ଡର ଦଳୀୟ ସ୍କୋର୍‌ ୪୮ ରନ୍‌ରେ ପହଞ୍ଚି ସାରିଥିଲା। ତେବେ ତାଙ୍କ ସ୍ଥାନ ପୂରା କରିବାକୁ ଜୋ ରୁଟ୍‌ ଆସିଥିଲେ। ରୁଟ୍‌ ଓ ମଲାନ୍‌ ୮୫ ରନ୍‌ର ଭାଗିଦାରୀ କରିପାରିଥିଲେ। ଏଥିରେ ରୁଟ୍‌ଙ୍କ ବ୍ୟକ୍ତିଗତ ସ୍କୋର ୩୫ଟି ବଲ୍‌ରୁ ଗୋଟିଏ ଚୌକା ସହାୟତାରେ ୨୮ ରନ୍‌ ଥିଲା। ସ୍କୋର ୧୩୯ ରନ୍‌ରେ ଇଂଲଣ୍ଡକୁ ତୃତୀୟ ଝଟକା ଭାବେ ମଲାନଙ୍କ ୱିକେଟ୍‌ ଥିଲା। ମଲାନ୍‌ ୭୪ଟି ବଲ୍‌ରୁ ୧୦ଟି ଚୌକା ଓ ୨ଟି ଛକା ବଳରେ ୮୭ ରନ୍‌ କରି ପାଭିଲିଅନ୍‌କୁ ଫେରି ଯାଇଥିଲେ।

ଇଂଲଣ୍ଡ ପାଇଁ ମୋଇନ୍‌ ଅଲ୍ଲୀ ଓ ଆଦିଲ ରସିଦ୍‌ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ। ଉଭୟ ବୋଲର ନେଦରଲାଣ୍‌ସର ୩-୩ ଜଣ ଖେଳାଳିଙ୍କୁ ପାଭିଲିଅନ୍‌ ପଠାଇଥିଲେ। ଡେଭିଡ ୱିଲିଙ୍କୁ ୨ଟି ଓ କ୍ରିସ୍‌ ୱକ୍ସଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।ନେଦରଲାଣ୍ଡ୍‌ସ ପାଇଁ ତେଜା ନିଦାମାନରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଅପରାଜିତ ରହି ୩୪ଟି ବଲ୍‌ରୁ ୨ଟି ଚୌକା ବିନିମୟରେ ୪୧ ରନ୍‌ ସଂଗ୍ରହ କରିଥିଲେ। ସ୍କଟ ଏଡୱାର୍ଡ୍ସଙ୍କ ବ୍ୟାଟ୍‌ ୪୨ଟି ବଲ୍‌ ସାମ୍ନା କରିଥିଲେ। ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୮ ରନ୍‌ ସଂଗ୍ରହ କରିଥିବା ବେଳେ ସିବ୍ରାଣ୍ଡ ଏଞ୍ଜେଲବ୍ରେଚଟଙ୍କ ଦ୍ବାରା ୩୩ ରନ୍‌ ଅମଳ ହୋଇଥିଲା। ସେ ୪୯ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।