ପଞ୍ଜାବକୁ 15 ରନରେ ହରାଇଲା ଦିଲ୍ଲୀ

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ  ୧୫ ରନ୍‌ରେ ପଞ୍ଜାବକୁ ପରାସ୍ତ କରିଛି। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍‌ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮ କରିଥିଲା । ଲିଭିଂଷ୍ଟୋନ୍‌ ୯ ଛକା ଓ ୫ ଚୌକା ସହାୟତାରେ ୪୮ ବଲ୍‌ରୁ ୯୪ ରନ୍‌ ସଂଗ୍ରହ କରିଥିଲେ। ଏହି ବିଜୟ ଦିଲ୍ଲୀ ପାଇଁ ବିଶେଷ କିଛି ଫରକ ଆଣୁନଥିଲେ ବି ପଞ୍ଜାବର ପ୍ଲେ ଅଫ୍‌ ଖେଳିବା ଆଶା ଆଶଙ୍କା ଭିତରକୁ ଚାଲିଯାଇଛି। ପଞ୍ଜାବ ଏବେ ୧୨ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ସ୍ଥିର ଥିଲା ବେଳେ ପ୍ଲେ ଅଫ୍‌ ଯିବାକୁ ହେଲେ ସମାନ ପଏଣ୍ଟରେ ଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ମ୍ୟାଚ୍‌ରେ ହରାଇବାକୁ ପଡ଼ିବ ଏବଂ ମୁମ୍ବାଇ-ହାଇଦ୍ରାବାଦ, କୋଲକାତା-ଲକ୍ଷ୍ନୌ ଓ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ହେବ। ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଓ୍ବାର୍ନର ୪୬ରନ କରିଥିବାବେଳେ ପୃଥ୍ବୀ ଶ’ ୫୪ରନ କରିଥିଲେ । ଓ୍ବାର୍ନର ଆଉଟ ହେବାପରେ ଆସିଥିବା ରିଲି ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ  । ସେ ମାତ୍ର ୩୭ଟି ବଲ ଖେଳି ୬ ଛକା, ୬ ଚୌକା ସହ ୮୨ରନ କରିଥିଲେ । ଅନ୍ୟପଟେ ଓ୍ବିକେଟ କିପର ଫିଲିପ୍ସ ସଲ୍ଟ ୨୬ରନ କରି ତାଙ୍କୁ ସହାୟତା କରିଥିଲେ ।