ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ

ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର ଦୁର୍ବଳତା ଭିତରେ ସଂଘର୍ଷ କରୁଥିବା ପ୍ୟାଟ୍ କମିନ୍ସଙ୍କ କଙ୍ଗାରୁ ଦଳ କିନ୍ତୁ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରିବା ଆଶାରେ ରହିଛି ।
ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ ଖେଳାଯାଇଥିବା ବେଳେ ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଉର୍ଦ୍ଧ୍ୱ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା । ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ୍ ଖେଳିଥିଲା । ରବିଚନ୍ଦ୍ରନ ଅଶ୍ୱିନ୍ ଏବଂ ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୧୪ ୱିକେଟ୍ ନେଇଥିଲେ । ଏବେ ପୁଣି ଥରେ ଏହି ସ୍ପିନ୍ ଯୋଡିଙ୍କ ଉପରେ ମଧ୍ୟ ଭାରତ ଭରସା କରି ପଡ଼ିଆକୁ ଓହ୍ଲାଇବ । ୨୦୧୩ରେ ଖେଳାଯାଇଥିବା ମୁକାବିଲାରେ ଅଷ୍ଟ୍ରେଲିଆର ନାଥନ୍ ଲାୟନ ୯୪ ରନ୍ ଦେଇ ୭ ୱିକେଟ୍ ନେଇଥିଲେ । ତେଣୁ ଏଥର ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।