ଆୟର୍ଲାଣ୍ଡ୍‌କୁ ହରାଇଲା କାନାଡ଼ା

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ କାନାଡ଼ା ୧୨ ରନ୍‌ରେ ହରାଇ ଦେଇଛି। ଆୟର୍ଲାଣ୍ଡ୍‌ ସମ୍ମୁଖରେ ୧୩୮ ରନ୍‌ର ଲକ୍ଷ୍ୟ ରହିଥିଲେ ମଧ୍ୟ ଅପେକ୍ଷାକୃତ ଅଭିଜ୍ଞ ଏହି ଦଳ ୧୨୫ ରନ୍‌ରେ ଅଟକିଯାଇଛି। ଏଥି ସହ ଦ୍ବିତୀୟ ମ୍ୟାଚ୍‌ରୁ କାନାଡ଼ା ପ୍ରଥମ ବିଜୟ ପାଇଥିବା ବେଳେ ଆୟର୍ଲାଣ୍ଡ୍ ଲଗାତାର ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ଭାରତ ପରାସ୍ତ କରିଥିଲା।

ଶୁକ୍ରବାର ନସାଉ କାଉଣ୍ଟି ଷ୍ଟାଡିୟମ୍‌ର ଧୀମା ପିଚ୍‌ରେ ଆୟର୍ଲାଣ୍ଡ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ କାନାଡା ବିପର୍ଯ୍ୟ‌ୟର ସମ୍ମୁଖୀନ ହୋଇଥିଲା। ୫୩ ରନ୍‌ ଭିତରେ ୪ ୱିକେଟ୍‌ର ପତନ ଘଟିବାରୁ ନିକୋଲାସ କୀର୍ତନ (୪୯) ଓ ଶ୍ରେୟସ ମୋଭା (୩୭) ପଞ୍ଚମ ୱିକେଟ୍‌ରେ ୬୩ ବଲ୍‌ରୁ ୭୫ ରନ୍‌ ଭାଗୀଦାରି ଗଢ଼ି ଦଳକୁ ଲଢୁଆ ସ୍କୋରରେ ପହଞ୍ଚାଇଥିଲେ। ପ୍ରତିପକ୍ଷର କ୍ରେଗ୍‌ ୟଙ୍ଗ ଓ ବାରି ମ୍ୟାକାର୍ଥି ୨ ୱିକେଟ୍‌ ଲେଖାଏଁ ଏବଂ ମାର୍କ ଆଡୈର ଓ ଗାରେଥ ଡେଲାନି ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଆୟର୍ଲାଣ୍ଡ୍‌ ଲକ୍ଷ୍ୟରେ ପହଞ୍ଚିଯିବ ବୋଲି ବିଶ୍ବାସ ଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୫୯/୬ରେ ସଂଘର୍ଷ କରିଥିଲା। ଏହା ପରେ ଜର୍ଜ ଡକରେଲ୍ ଓ ମାର୍କ ଆଡୈର ୬୨ ରନ୍ ଭାଗୀଦାରି କରି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଶେଷରେ ଏହା ସମ୍ଭବ ହୋଇ ନଥିଲା। କୀର୍ତନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।