ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ୩୩ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଅହମଦାବାଦ:  ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍‌ରେ ପରାସ୍ତ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୮୭ ରନ୍‌ର ବ୍ୟାଟିଂ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୫୩ ରନ୍‌ରେ ଅଟକି ଯାଇଛି। ଏହି ମୁକାବିଲାରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ କଙ୍ଗାରୁ ଦଳ ବ୍ୟାଟିଂ କରିଥିଲା। ପେଟ୍‌ କମିନ୍‌ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୬ ରନ୍‌ କରିଥିଲା। ଅଷ୍ଟ୍ରେଲିଆର ପାଳି ଆରମ୍ଭ କରିଥିଲେ ଟ୍ରାଭିସ୍‌ ହେଡ୍‌ ଓ ଡେଭିଡ୍‌ ୱାର୍ଣ୍ଣର। ହେଡ୍‌ ୧୦ଟି ବଲ୍‌ର ସାମ୍ନା କରି ଗୋଟିଏ ଚୌକା ବଳରେ ୧୧ ରନ୍‌ ସଂଗ୍ରହ କରିଥିଲେ। ୱାର୍ଣ୍ଣର ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ସେ ୧୬ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୫ ରନ୍‌ କରି ପାଭିଲିଅନ ଫେରିଯାଇଥିଲେ। କଙ୍ଗାରୁ ଦଳ ୧୧ ଓ ୩୮ ରନ୍‌ରେ ପ୍ରାରମ୍ଭିକ ବ୍ୟାଟରଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ୱିକେଟ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ ଓ ମାର୍ନୁସ ଲାବୁସଚେଞ୍ଜ ୭୫ ରନ୍‌ର ଭାଗିଦାରୀ ହୋଇଥିଲେ। ସ୍ମିଥ ୪୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଯିବା ପରେ ତାଙ୍କ ସ୍ଥାନ ପୂରା କରିବାକୁ ଆସିଥିଲେ ଜୋସ୍‌ ଇଙ୍ଗଲିସ୍‌, ଯିଏକି ୬ଟି ବଲ୍‌ ସାମ୍ନା କରିଥିଲେ ଏବଂ ମାତ୍ର ୩ ରନ୍‌ କରି ଫେରିଯାଇଥିଲେ। ଅଷ୍ଟ୍ରେଲିଆ ୫ମ ଝଟକା ଭାବେ ମାର୍ନୁସ ୭୧ ରନ୍‌ଙ୍କୁ ହରାଇବାକୁ ପଡ଼ିଥିଲା। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଦଳ କୌଣସି ରନ୍‌ ନକରି ଜନି ବେୟାରଷ୍ଟୋ ଓ ୧୯ ରନ୍‌ରେ ‌ଜଏ ରୁଟ୍‌ଙ୍କୁ ହରାଇଥିଲା। ମାତ୍ର ୩ୟ ୱିକେଟ୍‌ ପାଇଁ ଡେଭିଡ୍‌ ମଲାନ ଓ ବେନ୍‌ ଷ୍ଟୋକ୍ସ ୮୪ ରନ୍‌ର ଭାଗିଦାରୀ କରିଥିଲେ। ୬୪ଟି ବଲ୍‌ ଖେଳି ୪ଟି ‌ଚୌକା ଓ ଗୋଟିଏ ଛକା ବଳରେ ମଲାନ୍‌ ୫୦ ରନ୍‌ କରିଥିଲେ। ବେନ୍‌ ଷ୍ଟୋକ୍ସ ୯୦ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ୬୪ ରନ୍‌ କରିଥିଲେ। ମୋଇନ୍‌ ଅଲିଙ୍କ ବ୍ୟାଟରୁ ୪୨ ରନ୍‌ ସଂଗୃହୀତ ହୋଇଥିଲା।

ସେହିପରି କ୍ରିସ୍‌ ୱକ୍ସ ୩୨ ରନ୍‌, ଡେଭିଡ ୱିଲି ୧୫ ରନ୍‌ ଓ ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୨୦ ରନ୍‌ କରିଥିଲେ। ମାର୍କ ଉଡ୍‌ ‌ଅପରାଜିତ ପାଭିଲିଅନକୁ ଫେରିଥିଲେ। ଅଷ୍ଟ୍ରେଲିଆ ପାଇଁ ଆଦାମ ଜାମ୍ପା ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ। ମିଚେଲ ଷ୍ଟାର୍କସ, ଜୋସ ହେଜେଲଉଡ ଓ ପେଟ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବା ବେଳେ ମାର୍କସ ଷ୍ଟୋଇନିସଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।