ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି । ଏହା ବିଶ୍ବକପ ଇତିହାସରେ ଏକ ରେକର୍ଡ ।ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୪୦୦ ରନର ବିଶାଳ ଲକ୍ଷ୍ୟର ଚାପରେ ନେଦରଲାଣ୍ଡସ ଦଳ ମାତ୍ର ୯୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବିକ୍ରମଜିତ ସିଂ ସର୍ବାଧିକ ୨୫ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ଓ୍ବିକେଟ ନେଇଥିବାବେଳେ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମିଚେଲ ମାର୍ସ ମାତ୍ର ୯ ରନ କରି ଆଉଟ ହେବା ପରେ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ ଡେଭିଡ୍ ଓ୍ବାର୍ଣ୍ଣର ଓ ଷ୍ଟିଭେନ ସ୍ମିଥ୍ । ଗତ ମ୍ୟାଚରେ ଶତକ ହାସଲ କରିଥିବା ଓ୍ବାର୍ଣ୍ଣର ଏହି ମ୍ୟାଚରେ ବି ଶତକ ହାସଲ କରିଥିଲେ । ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସଚାନ ୬୨ ରନ କରିଥିଲେ । ତେବେ ମାକ୍ସଓ୍ବେଲଙ୍କ ବିସ୍ଫୋରକ ୪୦ ବଲ ଶତକ ଅଷ୍ଟ୍ରେଲିଆର ସ୍କୋରକୁ ୩୯୯ରେ ପହଞ୍ଚାଇଦେଇଥିଲା । ନେଦରଲାଣ୍ଡ ପକ୍ଷରୁ ଲୋଗାନ ଭାନ ବିକ୍ ୪ଟି ଓ୍ବିକେଟ ନେଇଥିବାବେଳେ ବାସ ଡି ଲିଡ୍ ୨ଟି ଓ୍ବିକେଟ ନେଇଥିଲେ । ମ୍ୟାଚରେ ଗ୍ଲେନ ମାକ୍ସଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୪୦ଟି ବଲ ଖେଳି ଶତକ ହାସଲ କରି ନେଦରଲାଣ୍ଡ ବୋଲରଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଥିଲେ । ନିଜର ଏହି ୧୦୬ ରନ ଇନିଂସରେ ସେ ୮ଟି ଛକା ଓ ୯ଟି ଚୌକା ମାରିଥିଲେ ।