ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ

ଭୁବନେଶ୍ବର : ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ। ଘର ପର୍ଯ୍ୟନ୍ତ ପାଦେ ପାଦେ ବିଛା ଯାଇଥିବା ଫୁଲ ଚାଙ୍ଗୁଡ଼ିରେ ପାଦ ପକାଇ ପକାଇ ଘରକୁ ପଶିଲେ ଅମିତ। ପ୍ୟାରିସ ଅଲିମ୍ପିକ୍‌ରୁ ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ନେଇ ଭାରତୀୟ ହକି ଦଳର ସୁରକ୍ଷା ପ୍ରାଚୀର ଅମିତ ଭୁବନେଶ୍ବରରୁ ଆସି ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ସ୍ଥ ନିଜ ଗାଁ ସଉନାମୁରାରେ ପହଞ୍ଚିବା ପରେ ଘରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।ଅମିତଙ୍କୁ ପାଇ ପୂରା ଘର ପରିବାର ଓ ଗାଁ ଭାବବିହ୍ବଳ ହୋଇପଡ଼ିଥିଲା। ମଧ୍ୟାହ୍ନରେ ଗାଁ’ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆ, ଯେଉଁଠି ଅମିତ ପିଲାଦିନେ କାଠଫାଳିଆକୁ ହକି ବାଡ଼ି ଓ ଅଣ୍ଡା କାର୍ଟୁନକୁ ପ୍ୟାଡ୍ କରି ଆରମ୍ଭ କରିଥିଲେ ହକି ଯାତ୍ରା, ସେଇଠି ଗାଁ ଲୋକେ ଓ ସ୍ଥାନୀୟ ପ୍ରଶାସନ ଦେଇଥିଲା ଭବ୍ୟ ସମ୍ବର୍ଦ୍ଧନା। ଘରୁ ଛାତ୍ରଛାତ୍ରୀ, ଗ୍ରାମବାସୀ, ଆଦିବାସୀ ନୃତ୍ୟଗୀତ ଓ ମାଦଳର ତାଳେତାଳେ ଗାଁ ମଧ୍ୟ ଦେଇ ଶୋଭାଯାତ୍ରାରେ ମଞ୍ଚଯାଏ ପାଛୋଟି ନେଇଥିଲେ। ସେଠାରେ ସୁନାପୁଅକୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲା ଗାଁ। ଅମିତଙ୍କ ପିଲାଦିନର ସାଙ୍ଗ ଜର୍ଜ କେର୍କେଟାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ। ଅମିତଙ୍କ ସହ ତାଙ୍କ ମା’ ଗୋଲାପି ଅତିଥି ଭାବେ ଯୋଗ ଦେଇଥିଲେ।