୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଲା ଭାରତ

୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍‌ ଜିତିଛି ଭାରତ। ପନ୍ତଙ୍କ ଦମଦାର ଶତକ ବଳରେ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଥିଲେ। ମୋଇନ ଅଲ୍ଲୀ ୩୪ ରନର ଇନିଂସ ଖେଳିଥିଲେ।

ଜବାବରେ ଭାରତ ୪୨.୧ ଓଭରରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍କୁ ଜିତି ନେଇଛି। ପନ୍ତ ୧୨୫ ରନର ଦମଦାର  ଅପରାଜିତ ଇନିଂସ ଖେଳି ଦଳକୁ  ଜିତାଇଛନ୍ତି। ପାଣ୍ଡ୍ୟା ୭୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ୨୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ପ୍ରାରମ୍ଭିକ ବିପର୍ଯ୍ୟ ଘଟିଥିଲା। ଶିଖର ଧାଓ୍ଵନ ଏକ ରନ୍‌ , ରୋହିତ ଶର୍ମା  ୧୭ ରନ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ମଧ୍ୟ ମାତ୍ର ୧୭ ରନ୍‌ କରି ପାଭିଲିୟନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ୧୬ ରନ କରି ଆଉଟ୍ ହୋଇଥିଲେ। ୭୨ ରନରେ ୪ ଓ୍ଵିକେଟ୍ ହରାଇଥିଲା  ଭାରତ ।

ଏହା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୦୧ ବଲରେ ଶତକୀୟ ଭାଗିଦାରୀ ଯୋଡି ଦଳକୁ ବିଜୟର ନିକଟତର କରାଇଥିଲେ। ପାଣ୍ଡ୍ୟା ୫୫ ବଲରୁ ୧୦ ଚୌକା ସହ ୭୧ ରନର  ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।  ଅନ୍ୟପଟେ ବିସ୍ଫୋରକ ବ୍ୟାଟିଂ କରି ପନ୍ତ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ପୂରଣ କରିଥିଲେ। ସେ ଏବଂ ଜାଡେଜା ଅବିଭାଜିତ ଷଷ୍ଠ  ଓ୍ଵିକେଟରେ ୫୬ ରନ ଯୋଡି ଦଳକୁ ଜିତାଇଛନ୍ତି। ଭାରତ ୪୨.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ଖାସ୍ କରି ୪୨ ତମ ଓଭରରେ ପନ୍ତ ୫ ଚୌକା ମାରିଥିଲେ। ପନ୍ତ ୧୧୩ ବଲରୁ ୧୬ ଚୌକା ଏବଂ ୨ ଛକା ସହ ୧୨୫ ରନ କରି ଅପରାଜିତ ଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ  ଭାରତକୁ ୨୬୦ ରନର ଟାର୍ଗେଟ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫୯ ରନ ସ୍କୋର କରିଥିଲା। ଇଂଲଣ୍ଡ ପକ୍ଷରୁ ଅଧିନାୟକ  ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ କରିଥିଲେ, ଜୋନି ବେୟାରଷ୍ଟୋ(୦) ଖାତା ଖୋଲିବା ପୂର୍ବରୁ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ସେହି ସମାନ ସ୍କୋରରେ ଜୋ ରୁଟ୍(୦)ଙ୍କୁ ପାଭିଲିୟନ ପଠାଇଥିଲେ ସିରାଜ। ପରେ ଜାସନ ରୟ ଏବଂ ବେନ ଷ୍ଟୋକ୍ସ ତୃତୀୟ ଓ୍ଵିକେଟରେ ୫୪ ରନ ଯୋଡିଥିଲେ। ରୟ ଦ୍ରୁତ ବ୍ୟାଟିଂ କରି ୩୧ ବଲରୁ ୭ ଚୌକା ସହ ୪୧ ରନ କରି  ହାର୍ଦ୍ଦିକଙ୍କ ବଲରେ ଆଉଟ୍ ହୋଇଥିଲେ। ବେନ ଷ୍ଟୋକ୍ସ ୨୭ ରନରେ ଆଉଟ୍ ହୋଇଥିଲେ। ୭୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଇଂଲଣ୍ଡର ସ୍କୋରକୁ ଅଧିନାୟକ ବଟଲର ଏବଂ ମୋଇନ ଅଲ୍ଲୀ ଆଗେଇ ନେଇଥିଲେ। ଉଭୟ ପଞ୍ଚମ ଓ୍ଵିକେଟରେ ୭୫ ରନ ଯୋଡି ଦଳ ସ୍ଥିତି ସୁଧାରିଥିଲେ।