ସଙ୍କଟରେ ଚେନ୍ନାଇ ସୁପରକିଙ୍ଗ୍ସ
ଅଧିନାୟକ ଋଷଭ ପନ୍ତଙ୍କ ପ୍ରତୀକ୍ଷିତ ଅର୍ଦ୍ଧଶତକ ସହ ଶେଷ ଓଭରଗୁଡ଼ିକରେ ବୋଲର୍ ସଫଳତାର ସହ ଧୋନି ଧମାକାକୁ ପ୍ରତିହତ କରି ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ହାସଲ କରିଛି। ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସକୁ ୨୦ ରନ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିଛି।ଦିଲ୍ଲୀ ୧୯୨ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେବା ପରେ ମାତ୍ର ୭ ରନ୍ରେ ଦୁଇ ଓପନର ଋତୁରାଜ ଗାଏକ୍ବାଡ୍ ଓ ରାଚିନ ରବୀନ୍ଦ୍ରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ତଥାପି ଅଜିଙ୍କ୍ୟ ରାହାଣେଙ୍କ ୪୫ ଓ ଡାରିଲ ମିଚେଲଙ୍କ ୩୪ ରନ୍ ବଳରେ ଲଢ଼ିଥିଲା। ଶେଷ ଆଡ଼କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୭*) ଧମାକାଦାର ପାଳି ଖେଳିଥିଲେ। ଏହା ସତ୍ତ୍ବେ ଚେନ୍ନାଇ ୧୭୧/୬ରେ ଅଟକି ତୃତୀୟ ମ୍ୟାଚ୍ରୁ ପ୍ରଥମ ପରାଜୟ ବରଣ କରିଥିଲା। ଧୋନି ଓ ରବୀନ୍ଦ୍ର ଜାଡ଼େଜା କ୍ରିଜ୍ରେ ଥିବାରୁ ଅଷ୍ଟାଦଶ ଓଭର ପର୍ଯ୍ୟନ୍ତ ଚେନ୍ନାଇ ପ୍ରଶଂସକ ଆଶା ରଖିଥିଲେ। ହେଲେ ଊନ୍ନବିଂଶ ଓଭରରେ ଦ୍ରୁତ ବୋଲର୍ ମୁକେଶ କୁମାର ମାତ୍ର ୫ ରନ୍ ଦେବା ପରେ ଦିଲ୍ଲୀର ବିଜୟ ପୂରା ପକ୍କା ହୋଇଯାଇଥିଲା। ଶେଷ ୬ ବଲ୍ରୁ ବିଜୟ ପାଇଁ ୪୧ ରନ୍ ଦରକାର ଥିଲା ବେଳେ ଅନରିକ୍ ନର୍ଖିୟାଙ୍କ ଏହି ଓଭରରୁ ଧୋନି ୨୦ ରନ୍ ଅମଳ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ ମଧ୍ୟ ଚେନ୍ନାଇ ପରାଜୟକୁ ରୋକିପାରି ନଥିଲେ।