ବୁମ୍‌ରା ଦେଲେ ବଡ଼ ବିଜୟ

ବିଶା‌ଖାପାଟଣା ଟେଷ୍ଟ୍‌ରେ ଭାରତ ବଡ଼ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୨୯୨ ରନ୍‌ରେ ଅଲଆଉଟ୍ କରି ୧୦୬ ରନ୍‌ରେ ଦ୍ବିତୀୟ ଟେଷ୍ଟ୍ ଜିତିବା ସହ ୫ ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଛି। ସେହିଭଳି ହାଇଦ୍ରାବାଦରେ ଯେଉଁ ଅପ୍ରତ୍ୟାଶିତ ପରାଜୟ ବରଣ କରିଥିଲା ତା’ର ମଧୁର ପ୍ରତିଶୋଧ ନେଇ ରାଜକୋଟ (ଫେବ୍ରୁଆରି ୧୫-୧୯)ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ ପୂର୍ବରୁ ବିଜୟ ଧାରାକୁ ଫେରିଛି। ତା’ ସହିତ ଆତ୍ମବିଶ୍ବାସକୁ ମଧ୍ୟ ଉଚ୍ଚ କରିପାରିଛି। ସ୍ପିନରଙ୍କୁ ସୁହାଉଥିବା ପିଚ୍‌ରେ ନିଜ ଅତୁଳନୀୟ ସୁଇଂ ଦକ୍ଷତାର ପରିଚୟ ଦେଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା (୬/୪୫, ୩/୪୬) ଭାରତକୁ ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଛନ୍ତି। ସେଥିପାଇଁ ପ୍ରଥମ ପାଳିର ଦ୍ବିଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ଏବଂ ଦ୍ବିତୀୟ ପାଳିରେ ଶତକୀୟ ପାଳି ଖେଳିଥିବା ଶୁବମନ ଗିଲ୍‌ଙ୍କୁ ପଛରେ ପକାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି।