ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସ

ଭାଙ୍ଗିବନି କ୍ଲକ୍ ଟାୱାର

ବାରବାଟୀ ଷ୍ଟାଡିୟମ୍‌ର ନବକଳେବରଠାରୁ ଆରମ୍ଭ ହୋଇଛି ଏହାର ଅଭିଯାନ। ଐତିହ୍ୟସମ୍ପନ୍ନ ବାରବାଟୀ ଷ୍ଟାଡିୟମ୍‌ର ରୂପଭେକକୁ ବଦଳାଇ ଦେବା ସହ ସିଟ୍‌ ସଂଖ୍ୟାକୁ ୬୦,୦୦୦ ବିଶିଷ୍ଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ ପୁନଃବିକାଶ ପ୍ରକଳ୍ପକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭ ଦେଇଛନ୍ତି। ଏହାକୁ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସରେ ପରିଣତ କରାଯିବ, କିନ୍ତୁ ଖ୍ୟାତିସମ୍ପନ୍ନ କ୍ଲକ୍ ଟାୱାର୍‌ ଷ୍ଟ୍ରକ୍ଚରକୁ କୌଣସି ଭାବେ ଭଙ୍ଗାଯିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। ବିସିସିଆଇ, ଓସିଏ ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ସହଯୋଗରେ ବାରବାଟୀକୁ ବିଶ୍ବସ୍ତରୀୟ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) କ୍ରିକେଟ୍ ଷ୍ଟାଡିୟମ୍‌ର ପୁନଃବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ମଧ୍ୟ ବ୍ରହ୍ମପୁର ସ୍ପୋର୍ଟସ କଂପ୍ଲେକ୍ସ, ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ୍‌, ଯାଜପୁର ସ୍ପୋର୍ଟସ କଂପ୍ଲେକ୍ସ, ପୁରୀରେ ମହିଳା କ୍ରିକେଟ୍ ଏକାଡେମି, ଝାରସୁଗୁଡ଼ାରେ କ୍ରିକେଟ୍‌ ଗ୍ରାଉଣ୍ଡ୍‌ ସହିତ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମିତ ୪୧ଟି କ୍ରିକେଟ୍ ଏକାଡେମିକୁ ଉଦ୍‌ଘାଟନ କରିଛନ୍ତି। ବାରବାଟୀ ଷ୍ଟାଡିୟମର ପୁନଃବିକାଶ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଥିବା କର୍ପୋରେଟ ସଂସ୍ଥାଗୁଡିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ବାପୁଜୀ ବ୍ରହ୍ମପୁର ଆସିଥିବାରୁ ବ୍ରହ୍ମପୁର କ୍ରିକେଟ୍‌ ଷ୍ଟାଡିୟମ୍‌କୁ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରାଯାଇଛି। ବ୍ରହ୍ମପୁରର ଶୀତଳାପଲ୍ଲୀରେ ଏକ ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଠାରେ ଆଥ୍‌ଲେଟିକ୍ସ, ଫୁଟ୍‌ବଲ୍‌, କ୍ରିକେଟ୍‌, ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଆଦିର ସୁବିଧା ସୁଯୋଗ ରହିବ। ସମ୍ପୃକ୍ତ ଅଞ୍ଚଳର ଖେଳାଳିଙ୍କ ପାଇଁ ଏହା ଅପୂର୍ବ ସୁଯୋଗ ଆଣିବା ସହ ଦୀର୍ଘଦିନର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବ। ଭାରୋତ୍ତୋଳନ ପାଇଁ ସ୍ବତନ୍ତ୍ର ପରିଚୟ ରଖିଥିବା ଗଞ୍ଜାମରେ ମଧ୍ୟ ଦେଶର ସର୍ବବୃହତ ତାଲିମ ସୁବିଧା ବିଶିଷ୍ଟ ଗଞ୍ଜାମ ‌ଭାରୋତ୍ତୋଳନ ଏକା‌ଡେମିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ଏଠାରେ ଭାରୋତ୍ତୋଳନ ପାଇଁ ୨୦୦ ସିଟ୍‌ର କ୍ରୀଡ଼ାଛାତ୍ରାବାସ ରହିଛି। ଏହି ଜିଲ୍ଲାରୁ ବିଜୟ ଶତପଥୀ, ରବି କୁମାରଙ୍କ ଭଳି ଅର୍ଜୁନ ପୁରସ୍କାର ବିଜେତା ବାହାରିଥିଲେ।

ଯାଜପୁରରେ ମଧ୍ୟ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ଆତ୍ମପ୍ରକାଶ କରିଛି ମୁଖ୍ୟମନ୍ତ୍ରୀଙ୍କ କରକମଳରେ। ଯାଜପୁର ଟାଉନ୍‌ରେ ଥିବା କୁସୁମା କଂପ୍ଲେକ୍ସ ସୁଇମିଂ ପୁଲ୍‌, ହକି ଟ୍ରେନିଂ ସେଣ୍ଟର, ବହୁମୁଖୀ ଇନଡୋର୍‌ ଷ୍ଟାଡିୟମ୍‌, ଆଥ୍‌ଲେଟିକ୍ ଟ୍ରାକ୍‌, ଫୁଟ୍‌ବଲ୍ ଗ୍ରାଉଣ୍ଡ୍‌ ଉଦ୍‌ଘାଟିତ ହୋଇଛି। ଛାତ୍ରାବାସ ସୁବିଧା ସହ ରଗ୍‌ବି ଓ କ୍ରିକେଟ୍ ପଡ଼ିଆ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ପଡ଼ିଛି। ବରଗଡ଼ ଓ ଢେଙ୍କାନାଳରେ ମଧ୍ୟ ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ପାଇଁ ଭିତ୍ତି ପଡ଼ିଛି। ଏଠାରେ ଆଥ୍‌ଲେଟିକ୍ ଟ୍ରାକ୍‌, ସୁଇମିଂ ପୁଲ୍‌, ଫୁଟ୍‌ବଲ୍‌ ପଡ଼ିଆ ଓ କ୍ରିକେଟ୍ ପଡ଼ିଆ ରହିବ।
ମଙ୍ଗଳବାର ଏହି ମେଗା ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଏବେ କ୍ରିକେଟ୍‌କୁ ଫୋକସରେ ରଖିଛନ୍ତି। ଓସିଏ ସହଯୋଗରେ ରାଜ୍ୟରେ ଭଲ ପାରିବେଶିକ ବ୍ୟବସ୍ଥାର ଉଦୟ ସହ ଆଗାମୀ ଦିନରେ ଚାମ୍ପିଅନ୍‌ ଖେଳାଳି ସୃଷ୍ଟି କରାଯିବ। ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଫଳରେ ଯୁବ ଶସକ୍ତୀକରଣ ସହ ଦେଶରେ ଖେଳ ପାଇଁ ଓଡ଼ିଶା ସ୍ବୀକୃତି ପାଇଛି।