ପାରାଲିମ୍ପିକ୍ସରେ ରେକର୍ଡ କଲା ଭାରତ
ଚଳିତ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ୫ଟି ପଦକ । ଏହି ପାଞ୍ଚଟି ପଦକ ମଧ୍ୟରେ ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସାମିଲ ରହିଛି । ଏହା ସହ ଭାରତର ମୋଟ୍ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।ପଦକ ସଂଖ୍ୟାରେ ଏହା ଭାରତର ସର୍ବକାଳୀନ ରେକର୍ଡ ହୋଇପାରିଛି। ଗତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୧୯ ପଦକ ଜିତିଥିଲା। ମଙ୍ଗଳବାର ଭାରତୀୟ କ୍ରୀଡ଼ାବିତ୍ମାନେ ୫ ପଦକ ଜିତିଛନ୍ତି। ଯାହାମଧ୍ୟରେ ୨ ରୌପ୍ୟ ଓ ୩ କାଂସ୍ୟ ପଦକ ରହିଛି। ଦିନର ପ୍ରଥମ ପଦକ ମହିଳା ୪୦୦ ମିଟର୍ (ଟି୨୦) ଦୌଡ଼ରୁ ଆସିଥିଲା। ଦୀପ୍ତି ଜୀବନଜୀ ପଦାର୍ପଣ ପାରାଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ପୁରୁଷ ଉଚ୍ଚଡିଆଁ (ଟି୬୩)ରେ ଶରଦ କୁମାର ୧.୮୮ ମିଟର ସହ ପାରାଲିମ୍ପିକ୍ସ କୀର୍ତ୍ତିମାନ ସ୍ଥାପନ କରି ରୌପ୍ୟ ପଦକ ଜିତିଛନ୍ତି। ମାରିୟାପାନ୍ ଥଙ୍ଗାଭେଲୁ ୧.୮୫ ମିଟର ପ୍ରଦର୍ଶନ ଦେଇ କାଂସ୍ୟ ପଦକ ପାଇଛନ୍ତି। ସେହିପରି ପୁରୁଷ ଜାଭଲିନ୍ (ଏଫ୍୪୬) ରେ ଅଜୀତ ସିଂହ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬୫.୬୨ ମିଟର) ଦେବା ସହ ରୌପ୍ୟ ଓ ସୁନ୍ଦର ସିଂହ ଗୁରଜାର ୬୪.୯୬ ମିଟର ଥ୍ରୋ କରି କାଂସ୍ୟ ପଦକ ପାଇଛନ୍ତି।