ତଳକୁ ଖସୁଛି ଭାରତୀୟ କ୍ରିକେଟ୍
ଭାରତୀୟ କ୍ରିକେଟ୍ ଦଳ ଘରୋଇ ମାଟିରେ ଦିନିକିଆ ବିଶ୍ବକପ୍ର ଆୟୋଜକ ଭାବେ ପ୍ରତିଯୋଗିତା ସାରା ପ୍ରାଧାନ୍ୟ ବିସ୍ତାର କରି ଫାଇନାଲ୍କୁ ଯାଇଥିଲା। କିନ୍ତୁ ବିଶ୍ବକପ୍ ବିଜୟ ହାତ ପାହାନ୍ତାରୁ ଖସିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଅତି ସାଧାରଣ ଖେଳ ଦେଖାଇ ରୋହିତ ଶର୍ମାଙ୍କ ଦଳ ଆତ୍ମସମର୍ପଣ କରିଥିଲା। ଫଳରେ ଗୋଟିଏ ଦଶନ୍ଧି ପରେ ଏକ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ପୁଣି ଥରେ ଦୁଃସ୍ବପ୍ନ ପାଲଟିଯାଇଥିଲା। ଏହି ପରାଜୟର କଷ୍ଟ, ଯନ୍ତ୍ରଣା ଓ ତିକ୍ତତାକୁ ଭୁଲି ନାହାନ୍ତି ଭାରତୀୟ କ୍ରିକେଟ୍ପ୍ରେମୀ। ଏବେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ର ଉପବିଜେତା ଭାରତୀୟ ଦଳ ପୁଣି ଥରେ ଗୌରବମୟ କ୍ରିକେଟ୍ ଦେଶକୁ ନିମ୍ନମୁଖା କରିଛି। ଘରୋଇ ମାଟିରେ ଭାରତ କେବେ ପ୍ରଥମ ପାଳିରେ ୧୦୦ରୁ ଅଧିକ ରନ୍ର ଅଗ୍ରଣୀ ଥାଇ ହାରିନଥିଲା। ବୋଲରମାନେ ୨୦ ୱିକେଟ୍ ଦଖଲ କରିବା ପରେ ବିଜୟ ହାତଛଡ଼ା କରି ନଥିଲା। କିନ୍ତୁ ସେଭଳି ଘଟିଛି ରବିବାର। ହାଇଦ୍ରାବାଦର ଉପ୍ପଲସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଭାରତ ପ୍ରଥମ ପାଳିରେ ୧୯୦ ରନ୍ ଆଗୁଆ ରହିଥିଲେ ମଧ୍ୟ ବିଜୟୀ ହୋଇପାରିନାହିଁ।