କ୍ରୋଏସିଆ ବିଜୟ ସହ ଅଭିଯାନ ଆରମ୍ଭ

ୟୁରୋ କପ୍-୨୦୨୪ରେ ଦମଦାର ଏଣ୍ଟ୍ରି କରିଛି ସ୍ପେନ୍ । ପ୍ରଥମାର୍ଦ୍ଧରେ ଅଧିନାୟକ ଆଲଭାରୋ ମୋରାଟା, ଫାବିଆନ୍ ରୁଇଜ ଏବଂ ଡାନି କାରଭାଜାଲଙ୍କ ବଳରେ ଭଲ ଲିଡ ପାଇଥିଲା ସ୍ପେନ । ଫଳରେ ଏହି ମ୍ୟାଚକୁ ଏକତରଫା ଭାବରେ ୩-୦ରେ ହାସଲ କରିଛି । ତେବେ କ୍ରୋଏସିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ପେନ ଏକ ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ କ୍ରୋଏସିଆ ବିଜୟ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ମୋରାଟା ସେନା । ଏହି ବିଜୟଧାରା ବଜାୟ ରଖି ଆଗକୁ ଦଳ ଚତୁର୍ଥ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି ସ୍ପେନ୍ ।ଏହି ମ୍ୟାଚରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ସ୍ପେନ୍ ଅଧିନାୟକ ଆଲଭାରୋ ମୋରାଟା । ମାତ୍ର ୨୯ ମିନିଟରେ ସପ୍ତମ ୟୁରୋ ଗୋଲ୍ ମାରି ସେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଏହାସହିତ ଅଲ୍ ଟାଇମ୍ ଲିଷ୍ଟରେ ଯୁଗ୍ମ ତୃତୀୟ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି ଆଲଭାରୋ ମୋରାଟା । ଏହି ତାଲିକାର ତୃତୀୟ ସ୍ଥାନରେ ପୂର୍ବରୁ ଆଲାନ୍ ସିଅରର୍ ଏବଂ ଆଣ୍ଟୋନୀ ଗ୍ରେଜମ୍ୟାନ୍ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଏହାପରେ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ହାସଲ କରିଛନ୍ତି ଅନ୍ୟତମ ଷ୍ଟାର ଖେଳାଳି ଫାବିଆନ୍ ରୁଇଜ । ଏହାବ୍ୟତୀତ ଡାନି କାରଭାଜାଲଙ୍କ ସହ ମିଶି ୟାମାଲ ମଧ୍ୟ ହାଫ୍ ଟାଇମ ପୂର୍ବରୁ ଏକ ଗୋଲ୍ ଦେଇ କ୍ରୋଏସିଆକୁ ଚକମା ଦେଇଥିଲା । ସେପଟେ କ୍ରୋଏସିଆ ସ୍ପେନ ବିପକ୍ଷରେ କୌଣସି ସଫଳତା ହାସଲ କରିବାରେ ବିଫଳ ହୋଇଛି । ଷ୍ଟ୍ରାଇକର ବ୍ରୁନୋ ପେଟକୋଭିକଏକ ଲେଟ୍ ପେନାଲ୍ଟି ହାସଲ କରିବାରେ ଫେଲ ମାରିଛନ୍ତି ।